ଖୋର୍ଦ୍ଧା କ୍ଲିନିକରେ ଗୁଳିକାଣ୍ଡ: ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ

(ସତ୍ୟପାଠ ବ୍ୟୁରୋ) ଖୋର୍ଦ୍ଧା ଘରୋଇ କ୍ଲିନିକ ଗୁଳିକାଣ୍ଡକୁ ବିତିଲାଣି 30 ଘଣ୍ଟା । ତଥାପି ପୋଲିସର ହାତ ଖାଲି । ସିସିଟିଭି ଫୁଟେଜ ସବୁ ଜେଲ୍‌କୁ ପଠାଯାଛି । ପୋଲିସର ୪ଟି ଟିମ୍ ଖୋର୍ଦ୍ଧା, ଭୁବନେଶ୍ବର ସହ ନୟାଗଡ଼ ଓ ବ୍ରହ୍ମପୁରକୁ ଯାଇ ଚଳାଇଛନ୍ତି ତଦନ୍ତ । ସିସିଟିଭିରେ କଏଦ ହୋଇଛି ଦୁଇ ଅପରାଧୀଙ୍କ ଭିଜୁଆଲ ।  ସେପଟେ ଗୁଳି ମାଡ଼ରେ ଗୁରୁତର ଡାକ୍ତର ମାନସ ରଂଜନ ଦାସ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଛି । ନିଜେ କ୍ଲିନିକରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ପି, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ସମସ୍ତ ଔଷଧ ଦୋକାନ ବନ୍ଦ ରଖିଛି ଔଷଧ ବ୍ୟବସାୟୀ ସଂଘ ।

ସୂଚନା ଅନୁସାରେ ରବିବାର ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଖୋର୍ଦ୍ଧାର ଏହି କ୍ଲିନିକରେ ଚିକିତ୍ସା କରୁଥିଲେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ଦାସ । ହଠାତ୍ କ୍ଲିନିକ ଆଗରେ ବାଇକରେ ଆସି ପହଞ୍ଚିଥିଲେ ଦୁଇ ଜଣ ଯୁବକ । ତାଙ୍କ ମଧ୍ୟରୁ ଜଣେ କ୍ଲିନିକ ଭିତରକୁ ଯାଇ ଡାକ୍ତରଙ୍କ ଉପରକୁ ଅତର୍କିତ ଭାବେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଔଷଧ କାଉଣ୍ଟରରେ ବସିଥିବା ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁ ଡାକ୍ତରଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଦୁଇ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଡାକ୍ତର ମାନସ ଓ ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ରଙ୍କୁ ନିଆଯାଇଥିଲା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ଏହା ପରେ ସେଠାରୁ ଉଭୟଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଡାକ୍ତର ମାନସଙ୍କ ଛାତି ତଳକୁ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏବେ ବି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏହି ଘଟଣାର ପ୍ରତିବାଦରେ ଗତକାଲି ଖୋର୍ଦ୍ଧା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ଔଷଧ ଦୋକାନ ବନ୍ଦ ରଖାଯାଇଛି । ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି ସଂଘ ।

ଅନ୍ୟପଟେ ମାତ୍ର ଅଢ଼େଇ ବର୍ଷ ତଳେ ଖୋଲାଯାଇଥିଲା ଏହି କ୍ଲିନିକ ।  ତେବେ କାହିଁକି କ୍ଲିନିକରେ ଚିକିତ୍ସାକାରୀ ଡାକ୍ତର ଓ ଔଷଧ ବ୍ୟବସାୟୀ ଅପରାଧୀଙ୍କ ଟାର୍ଗେଟ୍ ପାଲଟିଲେ, ତାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ଗୁଳିମାଡ଼ ଘଟଣାକୁ 30 ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହେବା ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ ।

Related Posts