କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କିଶନନଗର ଥାନା ଆଇଆଇସି ସସ୍ମିତା ରଣା ନିଲମ୍ବିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କିଶନନଗର ଥାନା ଆଇଆଇସି ସସ୍ମିତା ରଣା ନିଲମ୍ବିତ । ସେପଟେ ଗଲା ୫ ଦିନ ହେଲା କିଶନନଗର ଥାନା ଅଧିକାରୀ ସସ୍ମିତା ରଣା ଆଉ ଥାନାକୁ ଆସୁ ନାହାନ୍ତି। ଆଇଆଇସିଙ୍କ ଏଭଳି ଅନୁପସ୍ଥିତିକୁ ନେଇ କୌଣସି ପୁଲିସ ଅଧିକାରୀ ମତାମତ ଦେଉ ନଥିବାବେଳେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ଆଇଆଇସିଙ୍କର ଗଲା ୧୭ ତାରିଖରୁ ଯାଜପୁର ଜିଲ୍ଲାକୁ ବଦଳି ହୋଇଛି। ସେ ଖୁବ୍ଶୀଘ୍ର ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏପଟେ କିନ୍ତୁ ଚିତ୍ର ଭିନ୍ନ। ଗତ ୨୩ ତାରିଖରେ କିଶନନଗର ଥାନା ସମ୍ମୁ୍ଖରେ ଇଶାଣୀବ୍ରହ୍ମପୁର ସାଇଁ ପୋରୁଆଁ ଗ୍ରାମର ଗୁଣନିଧି ବିଶୋଇ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ। ଦିନକ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଥାନା ଆଇଆଇସି ଗୁଣନିଧିଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସରେ ଭର୍ତ୍ତି କରିବାଠାରୁ ଆରମ୍ଭ କରି ତାଙ୍କ ବ୍ୟାଗ୍ ଥାନାରେ ରଖିବା ଯାଏ ସବୁ କାମ କରିଥିଲେ। କିନ୍ତୁ ତା ପରଠାରୁ ତାଙ୍କୁ ଆଉ ଥାନାରେ ଦେଖିବାକୁ ମିଳି ନଥିଲା। ଏସ୍ଡିପିଓ, ଅତିରିକ୍ତ ଏସ୍ପି ପ୍ରମୁଖ ଥାନାରେ ପହଞ୍ଚି ସିସିଟିଭି ଯାଂଚଠାରୁ ଆରମ୍ଭ କରି ଗୁଣନିଧିଙ୍କ ବ୍ୟାଗ୍ ଖୋଜିବା ପର‌୍ୟ୍ୟନ୍ତ ସବୁ କାର‌୍ୟ୍ୟ କରିଥିଲେ ବି ଥାନା ଅଧିକାରୀ ସସ୍ମିତା ରଣାଙ୍କୁ ଦେଖିବାକୁ ମିଳି ନଥିଲା।

ଅନ୍ୟପଟେ ଥାନା ପରିସରରେ ଗୁଣନିଧିଙ୍କ ଆତ୍ମାହୁତି ଘଟଣାରେ ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ କଟକ ଏସ୍ପି ବି. ଯୁଗଳ କିଶୋର ଘଟଣା ପରେ ପରେ ହିଁ ତୁରନ୍ତ ଥାନା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ। ତା ସତ୍ବେ ଆଜି ପର‌୍ୟ୍ୟନ୍ତ ଥାନା ଅଧିକାରୀଙ୍କ ବିରୋଧରେ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କିନ୍ତୁ ସେ ଛୁଟିରେ ନଥିଲେ ମଧ୍ୟ ଥାନାକୁ ନ ଆସିବା ଏବଂ ପଦସ୍ଥ ଅଧିକାରୀ ନିରବଦ୍ରଷ୍ଟା ସାଜିବା ଘଟଣା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ଘଟଣା ପୂର୍ବରୁ ଅର୍ଥାତ୍ ୧୭ ତାରିଖରୁ ଥାନା ଅଧିକାରୀଙ୍କର ଯାଜପୁର ବଦଳି ହୋଇଥିବା କୁହାଯାଉଥିଲେ ସେ ଥାନା ପରିସରରେ ଆତ୍ମାହୁତି ଘଟଣା ଦିନରୁ କାହିଁକି ଗାଏବ ହୋଇଗଲେ ବୋଲି ପ୍ରଶ୍ନ ଉଠୁଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts