ସାମ୍ନାକୁ ଆସିଲା କେକେଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ହାର୍ଟରେ ଥିଲା ବ୍ଲକେଜ

କୋଲକାତା: ଆରପାରିରେ ଲୋକପ୍ରିୟ କଣ୍ଠଶିଳ୍ପୀ କେକେ । ତାଙ୍କର ଅକାଳ ବିୟୋଗ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଫଳରେ ତାଙ୍କର ଏହି ଅକାଳ ବିୟୋଗ କୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ପ୍ରଶଂସକ ।

ମୃତ୍ୟୁର କାରଣକୁ ନେଇ ବିଭିନ୍ନ ଅନୁମାନ ଲଗାଯାଉଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କେକେଙ୍କର ହାର୍ଟରେ ଏକାଧିକ ବ୍ଲକେଜ ସମସ୍ୟା ଥିଲା । ତେବେ ଘଟଣା ଦିନ ସେ ଅସୁସ୍ଥ ଅନୁଭବ କରିବାର ସମୟରେ CPR ଦିଆଯାଇ ପାରିଥିଲେ ତାଙ୍କୁ ବଞ୍ଚାଯାଇ ପାରିଥାନ୍ତା ବୋଲି ଡାକ୍ତର କହିଛନ୍ତି ।

ଏକାଧିକ ମଞ୍ଚରେ ଲାଇଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା କେକେଙ୍କ କ୍ଷେତ୍ରରେ ଏପରି କାହିଁକି ହେଲା ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟାରେ ସାମିଲ ଥିବା ଡାକ୍ତର ପ୍ରକାଶ କରିଥିବା ସୂଚନା ଅନୁସାରେ, କେକେଙ୍କ ହୃତପିଣ୍ଡରେ ଏକାଧିକ ବ୍ଲକ ରହିଥିଲା । ଲାଇଭ କାର୍ଯ୍ୟକ୍ରମରେ କେକେ ସଙ୍ଗୀତ ପରିବଷଣ ସହିତ ମଞ୍ଚରେ ଚାଲିବା ସହ ବେଶ ଉତ୍ସାହିତ ମଧ୍ୟ ନଜର ଆସିଥିଲେ । ତେଣୁ ଉତ୍ତେଜିତ ହେବା କାରଣରୁ ତାଙ୍କ ଶରୀରରେ ରକ୍ତ ସଞ୍ଚାଳନଜନିତ ସମସ୍ୟା ସୃଷ୍ଟି ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଡାକ୍ତର ।ମଙ୍ଗଳବାର କୋଲକାତାରେ ଏକ ଲାଇଭ କାର୍ଯ୍ୟକ୍ରମରେ ମଞ୍ଚରେ ସଙ୍ଗୀତ ପରିବେଷଣ ସମୟରେ ହଠାତ ଅସୁସ୍ଥ ହୋଇ ପଡିଥିଲେ କେକେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି । କୋଲକାତାରେ କେକେ ରହୁଥିବା ହୋଟେଲରୁ ଆଣ୍ଟାସିଡି ସମ୍ପର୍କିତ କିଛି ଔଷଧ ମଧ୍ୟ ମିଳିଥିବା ପୋଲିସ କହିଛି ।

Related Posts