ମୁମ୍ବାଇ: ବଲିଉଡର ପପୁଲାର ସିଙ୍ଗର କେକେଙ୍କର ଗୁରୁବାର ମୁମ୍ବାଇରେ ଅନ୍ତିମ ସଂସ୍କାର ହେବ । ବୁଧବାର କ୍ରିଷ୍ଣାକୁମାର କୁନ୍ନଥଙ୍କ ପାର୍ଥିବ ଶରୀର କୋଲକାତାରୁ ମୁମ୍ବାଇ ପହଞ୍ଚିଛି । ଏହା ପୂର୍ବରୁ କେକେଙ୍କ ପୋଷ୍ଟମର୍ଟମ ପରେ ପାର୍ଥିବ ଶରୀରକୁ କୋଲକାତାରେ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ତେବେ ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡର ଖ୍ୟାତନାମା ଗାୟକ କେକେ । ଆଜି ହେବ ତାଙ୍କ ଅନ୍ତିମ ସଂସ୍କାର । ମୁମ୍ବାଇ ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି । ଭର୍ସୋଭାର ପାର୍କ ପ୍ଲାଜା କଂମ୍ପ୍ଲେକ୍ସରେ କେକେ ରହୁଥିବାରୁ ଘର ନିକଟ ଶ୍ମଶାନରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିନ ୧୦ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀର ରଖାଯିବ ।
ସୂଚନାଯୋଗ୍ୟ, ମଙ୍ଗଳବାର କୋଲକାତାର ନଜରୁଲ ମଞ୍ଚରେ ଗୀତ ଗାଇବା ବେଳେ ଅସୁସ୍ଥ ହୋଇପଡିଥିଲେ କେକେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୫୩ ବର୍ଷ ବୟସରେ କେକେଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ମାହୋଲ ଖେଳି ଯାଇଛି। ସ୍ତବ୍ଧ ହୋଇଯାଇଛି ପୂରା ବଲିଉଡ । କେକେଙ୍କ ଫ୍ୟାନ୍ସ ବି ନିଜ ପପୁଲାର ଷ୍ଟାରଙ୍କ ଏପରି ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ।
କେକେଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିବା ବେଳେ ତାଙ୍କ ମୁହଁ ଓ ମୁଣ୍ଡରେ କ୍ଷତଚିହ୍ନ ଠାବ ହେବା ଘଟଣାକୁ ଆହୁରି ରହସ୍ୟମୟ କରିଛି । କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅପମୃତ୍ୟୁ ଆଶଙ୍କାକୁ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟରେ ଖଣ୍ଡନ କରାଯାଇଛି । ହେଲେ କେକେଙ୍କର ଜଟିଳ ଯକୃତ ଓ ଫୁସଫୁସ୍ ସମସ୍ୟା ଥିବା ଜଣାଯାଇଛି । କୋଲକାତାର SSK ହସ୍ପିଟାଲରେ ପ୍ରାୟ ଦେଢ଼ ଘଣ୍ଟା ଧରି ଶବ ବ୍ୟବଚ୍ଛେଦ ଚାଲିଥିଲା ଏବଂ ଏହାର ଭିଡିଓ ରେକର୍ଡିଂ କରାଯାଇଥିବା ସୂଚନା ମିଳିଛି ।
୫୩ ବର୍ଷ ବୟସରେ କେକେଙ୍କର ପରଲୋକ ହୋଇଯାଇଛି । ୨ଦିନିଆ ଗସ୍ତରେ କେକେ ସୋମବାର ଗୋଟିଏ କନସର୍ଟର ଅୟୋଜନ କରିଥିଲେ । ବିବେକାନନ୍ଦ କଲେଜରେ ସେ କାର୍ଯ୍ୟକ୍ରମ କରିଥିଲେ । କିନ୍ତୁ ଦ୍ୱିତୀୟ ଦିନ କନସର୍ଟ ପରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଥିଲା । ଦେଖୁ ଦେଖୁ ସେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ, ଯେଉଁଠାରୁ ଆଉ କେହି ଫେରନ୍ତି ନାହିଁ ।
