‘ମୋ ଉପରେ ଆକ୍ରମଣ ନେଇ ଦିନକ ଆଗରୁ ଜାଣିଥିଲି’: ଇମ୍ରାନ ଖାନ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସାଧୀନ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଶୁକ୍ରବାର ଡାକ୍ତରଖାନାରୁ ଏକ ଭିଡିଓ ଜାରି କରିଛନ୍ତି। ସେଥିରେ ସେ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ସେ ଜାଣିଥିଲେ। ଲାହୋରରେ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଇମ୍ରାନ କହିଛନ୍ତି ଯେ, ମୋ ଉପରେ ଆକ୍ରମଣ ହେବା ନେଇ ଗୋଟିଏ ଦିନ ପୂର୍ବରୁ ହିଁ ମୁଁ ଜାଣିବାକୁ ପାଇଥିଲି । ମୋତେ ହତ୍ୟା କରିବାକୁ ଯୋଜନା କରାଯାଇଥିଲା ବୋଲି ସେ କହିଛନ୍ତି।

ୱାଜିରାବାଦ କିମ୍ବା ଗୁଜରାଟରେ ମୋତେ ମାରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ନେଇ ମୋ ପାଖରେ ଖବର ଥିଲା। ଏଥିପାଇଁ ତାଙ୍କ ଦଳର ଏକାଧିକ ନେତାଙ୍କୁ ଧମକପୂର୍ଣ୍ଣ ଫୋନ ଆସିଥିବା କଥା ମଧ୍ୟ କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । ଏହାସହିତ ତାଙ୍କ ଶରୀରରେ ୪ଟି ଗୁଳି ବାଜିଥିବା ଏହି ଭିଡିଓରେ ସେ କହିଛନ୍ତି। ତେବେ ନିଜ ସମ୍ବୋଧନରେ ପାକିସ୍ତାନ ସରକାରଙ୍କ ଉପରେ ବର୍ଷିବା ସହ ଆକ୍ରମଣ ବିଷୟରେ ପରବର୍ତ୍ତୀ ସମୟରେ ବିସ୍ତୃତ ଭାବରେ ଜଣାଇବେ ବୋଲି ଇମ୍ରାନ କହିଛନ୍ତି।

ଏହି ଘଟଣା ପାଇଁ ଇମ୍ରାନ ଖାନ୍ ଓ ତାଙ୍କ ଦଳ ପିଟିଆଇ ୩ ଜଣଙ୍କ ଉପରେ ଦୋଷ ଲଦିଛନ୍ତି। ସେମାନେ ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ, ଆଭ୍ୟନ୍ତରୀଣ l ମନ୍ତ୍ରୀ ରାଣା ସାନାଉଲ୍‌ହା ଓ ଆଇଏସ୍‌ଆଇ ମୁଖ୍ୟ ଜେନେରାଲ ଫୈଜଲ ନାସୀର।

ତେବେ ଆକ୍ରମଣ ପରେ ଇମ୍ରାନ ଏବେ ବିପଦମୁକ୍ତ ଅଛନ୍ତି। ଗୁରୁବାର ହୋଇଥିବା ଏହି ଗୁଳିମାଡ଼ରେ ତାଙ୍କର ଜଣେ ସମର୍ଥକଙ୍କର ମୃତ୍ୟୁ ଘଟିଛି। ସେହିପରି ତାଙ୍କର ଆଉ ୧୩ ସମର୍ଥକ ଆହତ ହୋଇଛନ୍ତି। ଏହି ଆକ୍ରମଣ ଫଳରେ ଇମ୍ରାନଙ୍କ ଦୁଇଟି ଗୋଡରେ ସମସ୍ତ ୪ଟି ଗୁଳି ବାଜିଥିବା ବେଳେ ତାଙ୍କ ଗୋଡ ଗଭୀର ଭାବେ ଆହତ ହୋଇଛି ଓ ତାଙ୍କର ଡାହାଣ ଗୋଡଟି ଭାଙ୍ଗି ଯାଇଥିବା ମଧ୍ୟ ସୂଚନା ମିଳିଛି।

ଅନ୍ୟପଟେ ଇମ୍ରାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ସରକାର ସଫେଇ ଦେଇଛନ୍ତି। ଏଥିରେ ସରକାରଙ୍କର କିଛି ଭୂମିକା ନାହିଁ ବୋଲି କୁହାଯାଇଛି। ଏହାସହିତ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ସରକାର କହିଛନ୍ତି।

ଇମ୍ରାନଙ୍କ ଉପରକୁ ଗୁଳି କରିଥିବା ବ୍ୟକ୍ତି ଜଣଙ୍କ ପୁଲିସ୍ ଆଗରେ ନିଜ ଦୋଷ ସ୍ୱୀକାର କରିଛନ୍ତି। ସେ କ୍ୟାମେରା ଆଗରେ ପୁଲିସ୍‌କୁ କହିଛନ୍ତି ଯେ ସେ ନିଜେ ଇମ୍ରାନଙ୍କୁ ମାରିବାକୁ ଚାହୁଁଥିଲେ। କାରଣ ଇମ୍ରାନଙ୍କ ଉପରେ ସେ ଅସନ୍ତୁଷ୍ଟ ଥିଲେ। ଇମ୍ରାନ ଲୋକଙ୍କୁ ଭୁଲ୍ ବାଟରେ ନେଉଛନ୍ତି ଓ ମିଥ୍ୟା ପ୍ରତିଶୃତି ଦେଉଛନ୍ତି ବୋଲି ସେ ତାଙ୍କୁ ମାରିବାକୁ ଚାହୁଁଥିବା କହିଛନ୍ତି।

Related Posts