କୋହଲିଙ୍କ ହୋଟେଲ୍ ରୁମର ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲେ ହୋଟେଲ୍ କର୍ତ୍ତୃପକ୍ଷ, କର୍ମଚାରୀଙ୍କୁ ବିଦା କଲା

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ହୋଟେଲ୍ ରୁମର ଭିଡିଓ ଭାଇରାଲ ହୋଇଛି । ତେବେ ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କ୍ରୀଡା ଜଗତ। ମାମଲାରେ ପର୍ଥର ହୋଟେଲ୍ କ୍ରାଉନ କ୍ଷମା ପ୍ରାର୍ଥନା କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହଟା ଯାଇଥିବା ହୋଟେଲ୍ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଆମେ ଏଥର ଅଧିକ ସତର୍କ ରହିବୁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଉଲ୍ଲେଖନୀୟ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପ୍‌ ଖେଳୁଥିବା ବିରାଟ କୋହଲିଙ୍କ ସହ ବଡ ଘଟଣା ଘଟିଛି। ତାଙ୍କ ହୋଟେଲ୍‌ କୋଠରୀରେ କୌଣସି ବ୍ୟକ୍ତି ପ୍ରବେଶ କରି ଭିଡିଓ ପ୍ରସ୍ତୁତ କରି ଲିକ୍ କରି ଦେଇଛନ୍ତି। ଘଟଣାକୁ ନେଇ ବିରାଟ କୋହଲି ଖୁବ୍ କ୍ଷୁବ୍ଧ ହୋଇଛନ୍ତି। ଏମିତି ଘଟଣା ଆଦୌ ଗ୍ରହଣୀୟ ବୋଲି ଅନେକ ପୂର୍ବତନ ଖେଳାଳି କହିଛନ୍ତି। ଘଟଣା ବଢିବା ପରେ ହୋଟେଲ୍ କର୍ତ୍ତୃପକ୍ଷ ସାମ୍ନାକୁ ଆସି କ୍ଷମା ମାଗିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ମାମଲାରେ ସାମିଲ୍ ବ୍ୟକ୍ତିଙ୍କୁ କ୍ରାଉନ୍ ଆକାଉଣ୍ଟରୁ ହଟାଇଛନ୍ତି। ଏହି ଧରଣର ଘଟଣା ଯେମିତି ପୁନର୍ବାର ନଘଟିବ ସେଥିପ୍ରତି ଧ୍ୟାନ ଦେବୁ ବୋଲି ହୋଟେଲ୍ କର୍ତ୍ତୃପକ୍ଷ କହିଛନ୍ତି।

କୋହଲି ଭିଡିଓ ସେୟାର କରିବା ସହିତ ଲେଖିଛନ୍ତି, ମୁଁ ବୁଝି ପାରୁଛି ପ୍ରଶଂସକ ନିଜର ପ୍ରିୟ ଖେଳାଳିଙ୍କୁ ଦେଖି ଖୁସି ଏବଂ ଉତ୍ସାହିତ ହୋଇ ଯାଆନ୍ତି। ତାଙ୍କୁ ଭେଟିବା ପାଇଁ ଉଦ୍ୟମ କରନ୍ତି। ମୁଁ ଏହାକୁ ସର୍ବଦା ପ୍ରଶଂସା କରିଥାଏ।ମାତ୍ର ରୁମକୁ ପଶି ଭିଡିଓ କରିବା ଭୟାନକ ଘଟଣା। ସିଧାସଳଖ ମୋ ବ୍ୟକ୍ତିଗତ ଜୀବନ ସହ ଖେଳିବା ପରି ସମାନ। ଯଦି ମୁଁ ହୋଟେଲ୍‌ ରୁମରେ ନିଜର ଗୋପନୀୟତା ରଖି ପାରିବି ନାହିଁ ତେବେ ଅନ୍ୟ ସ୍ଥାନରେ କଣ ଆଶା ରଖିବି। ଦୟାକରି ଲୋକଙ୍କ ଗୋପନୀୟତାର ଧ୍ୟାନ ରଖନ୍ତୁ ଏବଂ ଏହାକୁ ମନୋରଞ୍ଜନର ସାଧନ ଭାବନ୍ତୁ ନାହିଁ।

Related Posts