ଗୁଜୁରାଟରେ ଆପ ଆକାଶରେ ଉଡୁଛି, ସେଠାରେ ଆଗାମୀ ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିବ: ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ଯୋଡ ଯାତ୍ରା ଅବସରରେ ଆଜି ରାହୁଲ ଗାନ୍ଧି ଗୁଜୁରାଟ ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ସୋମବାର କହିଛନ୍ତି ଯେ, ଗୁଜରାଟର ଆମ୍ ଆଦମୀ ପାର୍ଟି ଭୂମିରେ ନାହିଁ, ଆକାଶରେ ଉଡୁଛି। କିନ୍ତୁ ଆଜିର ଦିନରେ ଗୁଜୁରାଟରେ କଂଗ୍ରେସ ବାସ୍ତବରେ ଶକ୍ତିଶାଳୀ ଅଟେ ଓ ଦଳ ରାଜ୍ୟରେ ପରବର୍ତ୍ତୀ ନିର୍ବାଚନରେ ସରକାର ଗଠନ କରିବ । ଏଥିସହ ସେ କହିଛନ୍ତି ଯେ, ଏହି ନିର୍ବାଚନରେ ​​ତାଙ୍କୁ କିପରି ବ୍ୟବହାର କରାଯିବ ସେନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଷ୍ପତ୍ତି ନେବେ।

ତେଲେଙ୍ଗାନାରେ ଜାରି ରହିଥିବା ଭାରତ ଯୋଡ ଯାତ୍ରା ଅବସରରେ ଆଜି ରାହୁଲ ଗାନ୍ଧି ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ସରକାର ଲୋକମାନଙ୍କୁ ଲୁଟ କରୁଛନ୍ତି । ଦଳିତ ଓ ଆଦିବାସୀଙ୍କ ଜମି ଛଡ଼ାଇ ନେଉଛନ୍ତି । ସେ କହିଛନ୍ତି ଯେ, ଟିଆରଏସ ସହ ହାତ ମିଳାଇବାର ପ୍ରଶ୍ନ ଉଠୁନାହିଁ । ଗୁଜୁରାଟର ପରିସ୍ଥିତି ସମ୍ପର୍କରେ ପଚରାଯିବାରୁ ରାହୁଲ ଗାନ୍ଧି କହିଛନ୍ତି, ଗୁଜୁରାଟରେ ଆମେ ବହୁତ ପ୍ରଭାବଶାଳୀ ଢ଼ଙ୍ଗରେ ନିର୍ବାଚନ ଲଢ଼ୁଛୁ । ଆମ୍ ଆଦମୀ ପାର୍ଟି କେବଳ ଆକାଶରେ ଉଡୁଛି ଭୂମିରେ ନାହିଁ । ସେମାନେ ବିଜ୍ଞାପନରେ ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ଏଭଳି ପବନ କରୁଛନ୍ତି । ଗୁଜୁରାଟରେ କଂଗ୍ରେସ ବାସ୍ତବରେ ଶକ୍ତିଶାଳୀ । ସେଠାକାର ବିଜେପି ସରକାର ବିରୋଧରେ ଏବେ ମାହୋଲ ସୃଷ୍ଟି ହୋଇଛି । ଆସନ୍ତା ନିର୍ବାଚନରେ ​​କଂଗ୍ରେସ ସେଠାରେ ବିଜୟ ଲାଭ କରିବ ବୋଲି ସେ ଡମ୍ଭୋକ୍ତି ଦେଖାଇଛନ୍ତି।

ଏହି ଅବସରରେ କଂଗ୍ରେସର ରାହୁଲ ଗାନ୍ଧି ଆହୁରି କହିଛନ୍ତି ଯେ, ଯଦି ତାଙ୍କ ଦଳ ୨୦୨୪ ଲୋକସଭା ନିର୍ବାଚନ ପରେ କ୍ଷମତାକୁ ଆସେ, ତେବେ ରାଷ୍ଟ୍ରୀୟ ସ୍ଵଂୟମସେବକ ସଂଗଠନ (ଆରଏସଏସ) ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ମୁକ୍ତ ହେବ ଓ ସେମାନଙ୍କର ସ୍ୱାଧୀନତା ବଜାୟ ରହିବ। ତେବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ସେ କହିଛନ୍ତି ଯେ, ଗଣତାନ୍ତ୍ରିକ ହେବା ଓ ଏକଛତ୍ରବାଦୀ ଶାସନ ନଚଳାଇବା ହେଉଛି “କଂଗ୍ରେସର ଡିଏନ୍ଏ”, କିନ୍ତୁ ଅନ୍ୟ ଦଳମାନେ ନିଜେ କାହିଁକି ନିଜ ଦଳ ମଧ୍ୟରେ ନିର୍ବାଚନ କରୁ ନାହାଁନ୍ତି ? ଏହି ପ୍ରଶ୍ନ ସେମାନଙ୍କୁ କେବେ ପଚରାଯିବ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

Related Posts