ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଲକାତା ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ କୋଲକାତାର ଏକବଲପୁର ଥାନା ବାହାରେ ମଙ୍ଗଳବାର ବିଜେପି ଓ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି । ବିଜେପି ପ୍ରାର୍ଥୀ ରାକେଶ ସିଂଙ୍କ ନେତୃତ୍ୱରେ ଚାଲିଥିବା ଏକ କାର୍ଯ୍ୟକ୍ରମ ସମୟରେ ହୋସେନ୍ ଶାହା ରୋଡ୍ରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ନାରାବାଜିରୁ ଆରମ୍ଭ ହୋଇଥିବା ଏହି ବିବାଦ ହିଂସାର ରୂପ ନେଇଥିଲା, ଯାହାଫଳରେ ପୋଲିସ ୫ ଜଣ ବିଜେପି ଓ ୪ ଜଣ ଟିଏମସି କର୍ମୀଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ କୋଲକାତା ପୋଲିସ ତିନୋଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏ ଖବର ସାମ୍ନାକୁ ଆସିବାପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
