ଚିଟ୍‌ଫଣ୍ଡ କେଳେଙ୍କାରୀ: ଗିରଫ ହୋଇପାରନ୍ତି କୋଲକାତା ପୁଲିସ୍‌ କମିସନର

ଚିଟ୍‌ଫଣ୍ଡ କେଳେଙ୍କାରୀରେ ଏବେ ଗିରଫ ହୋଇପାରନ୍ତି କୋଲକାତାର ପୋଲିସ୍‌ କମିସନର । ରୋଜଭ୍ୟାଲି ଓ ଶାରଦା ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ସିବିଆଇ ଏବେ କମିସନର ରାଜୀବ କୁମାରଙ୍କୁ ଗିରଫ କରିବା ପାଇଁ ଯୋଜନା ଆରମ୍ଭ କରିଛି । ୧୯୮୯ ବ୍ୟାଚ୍‌ର IPS ରାଜୀବ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା । ତେବେ ଚିଟ୍‌ଫଣ୍ଡ ଘୋଟାଲାରେ ରାଜୀବ କୁମାର ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ସିବିଆଇ ଜାଣିବାକୁ ପାଇଛି ।

ପଶ୍ଚିମବଙ୍ଗରେ ହୋଇଥିବା କୋଟି କୋଟି ଟଙ୍କାର ଚିଟ୍‌ଫଣ୍ଡ ଦୁର୍ନୀତି ପାଇଁ ଏସ୍‌ଆଇଟି ଗଠନ ହୋଇଥିଲା, ଯାହାର ମୁଖ୍ୟ ଥିଲେ ରାଜୀବ କୁମାର । ରାଜୀବ କୁମାର ଉଭୟ ଶାରଦା ଓ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ଟିମ୍‌ର ମୁଖ୍ୟ ଥିଲେ । ଏହି ଘଟଣାରେ ସିବିଆଇ ତାଙ୍କଠାରୁ କିଛି ଦସ୍ତାବିଜ୍‌ ଆଣିବାକୁ ଚାହୁଁଛି । କିନ୍ତୁ ସେ ସିବିଆଇକୁ ସହଯୋଗ କରୁନାହାନ୍ତି । ତେବେ ତାଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଆଦୌ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରି ନଥିଲା । ଫଳରେ ଅଭିଯୁକ୍ତମାନେ ଖସି ଯିବାକୁ ସକ୍ଷମ ହୋଇଥିଲେ ବୋଲି ସିବିଆଇ ସନ୍ଦେହ କରୁଛି ।

ଏବେ ସିବିଆଇ ତାଙ୍କୁ ତଦନ୍ତ ସମ୍ପର୍କରେ ପଚରା ଉଚରା କରିବାକୁ ଚାହୁଁଥିବା ବେଳେ ସେ ୩ ଦିନ ହେଲା ଫେରାର ରହିଛନ୍ତି । ଏମିତିକି ସେ ନିର୍ବାଚନ କମିଶନ ପକ୍ଷରୁ ଆୟୋଜିତ ବୈଠକରେ ମଧ୍ୟ ଯୋଗ ଦେଇ ନଥିଲେ ।

Related Posts