କୁସୁମ ଓ ପ୍ରମୋଦ ଦେଲେ ଇସ୍ତଫା

ପ୍ରାର୍ଥୀ ଚୟନରେ ଅସନ୍ତୋଷ

ଟିକେଟ ଆଶା ଧୂଳିସାତ ହେବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ । ଦୁଇ ଦିନ ତଳେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ବେଳେ ସେ ଟିକେଟ ପାଇବା ନେଇ ଆଶାବାଦୀ ଥିଲେ । ଏପରିକି ବିଜେଡି ଛାଡ଼ିବେ ନାହିଁ ବୋଲି ବି କହିଥିଲେ । ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି କୁସୁମ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ସେ ସୁନ୍ଦରଗଡ଼ ବିଧାନସଭା ଆସନରୁ ଦଳୀୟ ଟିକେଟ୍ ପାଇବେ ବୋଲି ଆଶା ରଖିଥିଲେ । ତେବେ ଆଜି ଗଣମାଧ୍ୟମ ସମ୍ମୁଖରେ ସେ ତାଙ୍କ ଇସ୍ତଫା ଘୋଷଣା କରିବା ବେଳେ ସେ କାନ୍ଦି ପକାଇଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ ବିଜେଡି ସୁନ୍ଦରଗଡ଼ ସଂରକ୍ଷିତ ଆସନରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଯୋଗେଶ ସିଂହଙ୍କୁ ବିଧାନସଭା ଟିକେଟ ମିଳିଛି ।

ନିଜର ଇସ୍ତଫା ଘୋଷଣା ବେଳେ କୁସୁମ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କୁ ଦଳ ୫ ବର୍ଷ ଚାକର ଭଳି ଖଟାଇଲା, ଆଉ ପରିଣାମ ଏଇୟା । ସେ ଅଭିଯୋଗ କରିଛନ୍ତି ଯେ ବିଜୁ ଜନତା ଦଳ ୩୩{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} ମହିଳାଙ୍କୁ ଟିକେଟ ଦେବା କଥା ମିଛ । ଏହାପରେ ସେ କେଉଁ ଦଳକୁ ଯିବେ ବା ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ତାହା ଖୁବଶୀଘ୍ର ସ୍ଥିର କରିବେ ବୋଲି କୁସୁମ କହିଛନ୍ତି ।

କୁସୁମ ଦଳୀୟ ସଭାପତିଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଲେଖିଛନ୍ତି, ଯେଉଁ ବ୍ୟକ୍ତି ମଦ ବ୍ୟବସାୟ, କୋଇଲା ବେପାର ଓ ସ୍ଥାନୀୟ ଅଞ୍ଚଳର ପ୍ରତି ଅବହେଳା ବିରୋଧରେ ମୁଁ ବାରମ୍ବାର ସ୍ୱର ଉତୋଳନ କରି ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି, ତାଙ୍କ ସପକ୍ଷରେ ମୁଁ ପ୍ରଚାର କରିପାରିବି ନାହିଁ । ତେଣୁ ମୁଁ ବିଜେଡିର ସମସ୍ତ ପଦବୀରୁ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରୁଛି । ସମର୍ଥକମାନଙ୍କ ସହିତ ଆଲୋଚନା କଲା ପରେ ସେ ପରବର୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି । ୨୦୧୯ ନିର୍ବାଚନ ସେ ଲଢିବେ ବୋଲି କୁସୁମ କହିଛନ୍ତି ।

ଦୁଇ ଦିନ ତଳେ ବ୍ୟକ୍ତିଗତ କାରଣ ଦର୍ଶାଇ କୁସୁମ ଟେଟେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଗତ ମାସରେ କଂଗ୍ରେସର ପୂର୍ବତନ ବିଧାୟକ ଯୋଗେଶ ସିଂହ ବିଜେଡିରେ ଯୋଗ ଦେବା ପୂର୍ବରୁ କୁସୁମଙ୍କୁ ଏହି ପଦ ଦିଆଯାଇଥିଲା । ଯୋଗେଶ ବିଜେଡିରେ ମିଶିବା ନେଇ ସେ ଅସନ୍ତୁଷ୍ଟ ଥିଲେ । ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦ ଦିଆଯାଇଥିଲା ।

ଏହି ପଦରୁ ଇସ୍ତଫା ଦେବା ପରେ କୁସୁମ କହିଥିଲେ ଯେ ସେ ବିଧାନସଭା ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ସେ ବିଧାୟକ ନ ହୋଇ ମଧ୍ୟ ତାଙ୍କ ଅଞ୍ଚଳରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ତାକୁ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ନିର୍ବାଚନ ଲଢିବାକୁ କହୁଛନ୍ତି । ଏପରିକି ସେ ବିଜେଡିରୁ ଟିକେଟ ପାଇବା ନେଇ ସବୁଜ ସଙ୍କେତ ପାଇଥିବା କହିଥିଲେ ।

ସୂଚନାଯୋଗ୍ୟ, ୨୦୧୪ରେ କୁସୁମ ଟେଟେ ବିଜେଡି ଟିକେଟରେ ସୁନ୍ଦରଗଡ଼ରୁ ବିଧାନସଭା ନିର୍ବାଚନ ଲଢିଥିଲେ । ସେ ଯୋଗେଶ ସିଂହଙ୍କଠାରୁ ୧୨,୫୮୪ ଖଣ୍ଡ ଭୋଟରେ ହାରି ଯାଇଥିଲେ । କଂଗ୍ରେସ ପ୍ରାର୍ଥୀ ଭାବେ ଯୋଗେଶ ୬୬,୧୩୮ଟି ଭୋଟ ପାଇଥିବା ବେଳେ କୁସୁମ ୫୩,୫୫୪ଟି ଭୋଟ ପାଇଥିଲେ ।

ଅନ୍ୟପକ୍ଷରେ ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେଙ୍କ ସହିତ ଆଉ ଜଣେ ବିଜେଡି ନେତା ବି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ନାଁ ପ୍ରମୋଦ ପଟ୍ଟନାୟକ । ସେ କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ପଦରେ ଥିଲେ । ପ୍ରମୋଦ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏଥିରେ ତାଙ୍କୁ ଟିକେଟ ନ ଦିଆଯିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଇସ୍ତଫାପତ୍ରରେ ପ୍ରମୋଦ ଲେଖିଛନ୍ତି ଯେ ଗତ ନିର୍ବାଚନ ବେଳେ ଜଣେ ଅଜଣା ଓ ଅଣ-ରାଜନୀତିକ ବ୍ୟକ୍ତି କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ ଦିଆଗଲା । ୨୦୧୯ରେ ମୋତେ ଟିକେଟ ଦିଆଯିବ ବୋଲି ଆପଣ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆପଣ ପୁଣି ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ ଦେଲେ, ଯାହାଙ୍କ ଭାବମୂର୍ତି ଜୁନାଗଡ଼ରେ କ୍ଷୂର୍ଣ୍ଣ ହୋଇସାରିଛି । ପୂରା ଯାଦବ ସମାଜ ତାଙ୍କୁ ବିରୋଧ କରୁଛି । ଏହି କାରଣରୁ ମୁଁ ଇସ୍ତଫା ଦେଉଛି । ସେ ଆହୁରି ଲେଖିଛନ୍ତି ଯେ ଯଦି ଦଳର ନେତା କଥା ରଖିପାରିବେନି, ତା’ହେଲେ ମୁଁ ନିଜକୁ ସୁରକ୍ଷିତ ମଣିପାରୁନାହିଁ ଓ ଏହା ମୋତେ ବାଧିଛି ।

Related Posts