
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖୋଲୁଛି ଲେଡି ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗ୍ଙ୍କ ଗୁମର । ଏହାରି ମଧ୍ୟରେ ଅର୍ଚ୍ଚନା ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଆସନ୍ତାକାଲି କୋର୍ଟରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ । ସେଥିପାଇଁ ସେ ଆଗୁଆ ଜାମିନ୍ ଆବେଦନ କରୁଥିବାର କୁହାଯାଉଛି ।
ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗର ଫାଶରେ ମାଳ ମାଳ ନେତା ଥିବା ଧୀରେ ଧୀରେ ଜଣା ପଡ଼ୁଛି। ପ୍ରତିଦିନ ତାଙ୍କର ପାଓ୍ୱାରଫୁଲ୍ଙ୍କ ନେତାଙ୍କ ସହ ନୂଆ ନୂଆ ଫଟୋ ସାମ୍ନାକୁ ଆସୁଛି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋ ସବୁକୁ ଟିକେ ଦେଖିଲେ ଅନେକ ପ୍ରଶ୍ନ ମନକୁ ଆସୁଛି । ଗୋଟିଏ ଫଟୋରେ ଅଛନ୍ତି ବ୍ଲାକ୍ମେଲର ଦଂପତ୍ତିଙ୍କ ସହ ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ।
ସେମିତି ଆଉ ଏକ ଫଟୋରେ କେବଳ ଜଗବନ୍ଧୁ ଚାନ୍ଦଙ୍କ ସହ ଅଛନ୍ତି ସୂର୍ଯ୍ୟ ପାତ୍ର ଓ ମନ୍ମଥ ରାଉତରାୟ । ଖୋଦ୍ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା କୈଳାସ କୁଲେସିକା ବି ଫଟୋରେ ଜଗବନ୍ଧୁଙ୍କ ସହ ଥିବାବେଳେ ରେମୁଣାର ବିଜେଡି ବିଧାୟକ ସୁଧାଂଶୁ ପରିଡ଼ା ବି ତାଙ୍କ ସହ ଉଠାଇଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି ।
ତେବେ ଏହି ରହସ୍ୟମୟ ଘଟଣା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଥିବା ବେଳେ ପୋଲିସ ଏନେଇ ବିଶେଷ କିଛି ତଥ୍ୟ ଦେଉ ନାହିଁ। ଅର୍ଚ୍ଚନାର ଜାଲରେ ବଡ ବଡିଆ ନେତାଙ୍କ ସମେତ କିଛି ପୋଲିସ ଅଧିକାରୀ ମଧ୍ୟ ଥିବାରୁ ଏହି ଘଟଣା ବିଷୟରେ ପୋଲିସ ମୁହଁ ଖୋଲୁନଥିବା ଜଣାପଡ଼ୁଛି। ତେବେ ଆଗକୁ ଏହି ଘଟଣାର ତଦନ୍ତ କୁଆଡେ ଯାଉଛି ଓ କେଉଁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା।