ଲକ୍ଷୀମପୁର ଖେରି ହିଂସା ଘଟଣା; ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶ ଲକ୍ଷୀମପୁର ଖେରି ଚାଷୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ। ୮ ସପ୍ତାହ ପାଇଁ ଆଶିଷଙ୍କୁ ଜାମିନ ପ୍ରଦାନ କରାଯାଇଛି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେକେ ମହେଶ୍ୱରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଅଶିଷଙ୍କୁ ଜାମିନ ଦେଇଛନ୍ତି। ଗତ ୧୯ ଜାନୁୟାରୀରେ ଆଶିଷଙ୍କର ଜାମିନ ଆବେଦନର ଶୁଣାଣି କରି କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ।

ତେବେ ଆଶିଷଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିବା ସହିତ ତାଙ୍କ ପାଇଁ କୋର୍ଟ କିଛି ସର୍ତ୍ତ ରଖିଛନ୍ତି। ତାଙ୍କୁ ଦିଆଯାଇଥିବା ଜାମିନ୍‌ରେ ସର୍ତ୍ତ ରଖାଯାଇଛି ଯେ, ଆଶିଷ ଉତ୍ତର ପ୍ରଦେଶ କିମ୍ବା ଦିଲ୍ଲୀ ଆଖାପାଖ ଅଞ୍ଚଳରେ ରହିପାରିବେ ନାହିଁ। ଏହାସହିତ ଘଟଣାର କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିପାରିବେ ନାହିଁ। ତେବେ ଯେତେବେଳେ ତାଙ୍କୁ ଟ୍ରାଏଲ କୋର୍ଟରେ ହଜାର ହେବାକୁ ନିର୍ଦ୍ଦେଶ ଦିଆଯିବ ସେତେବେଳେ ସେ ଉତ୍ତର ପ୍ରଦେଶରେ ପ୍ରବେଶ କରିପାରିବେ। ଜାମିନ ମିଳିବାର ସପ୍ତାହ ଭିତରେ ତାଙ୍କୁ ୟୁପି ଛାଡ଼ିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଜାମିନ ଅବଧି ସମୟରେ ଆଶିଷ କେଉଁଠି ରହୁଛନ୍ତି ସେ ବିଷୟରେ କୋର୍ଟକୁ ଅବଗତ କରିବେ ଓ ପାସ୍‌ପୋର୍ଟକୁ କୋର୍ଟରେ ପୈଠ କରିବେ। ବେଲ୍ ସମୟରେ ସେ ଯେଉଁ ସ୍ଥାନରେ ରହିବେ ସେହି ସ୍ଥାନର ପୁଲିସ ଷ୍ଟେସନ୍‌କୁ ଆସି ନିଜର ଉପସ୍ଥାନ ଦର୍ଶାଇବେ ବୋଲି କୋର୍ଟ କହିଛନ୍ତି।

ଯାଞ୍ଚରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ଜାମିନ ରଦ୍ଦ ହେବ ବୋଲି କୋର୍ଟ କହିଛନ୍ତି। ସେହିପରି ଏହି ଘଟଣାରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ମଧ୍ୟ ଜାମିନ ମିଳିଛି। ଏହାସହ ସୁପ୍ରିମକୋର୍ଟ ସାକ୍ଷୀମାନଙ୍କର ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ସୁପ୍ରିମକୋର୍ଟ ସେସନ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଏହି ମାମଲାରେ ପରବର୍ତ୍ତି ଶୁଣାଣି ହେବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଅକ୍ଟୋବର ୩ ତାରିଖରେ ଉତ୍ତରପ୍ରଦେଶର ଲକ୍ଷୀମପୁର ଖେରିରେ କୃଷି ଆଇନ୍‌ ବିରୋଧରେ କୃଷକମାନେ ଆନ୍ଦୋଳନ କରୁଥିବା ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର୍ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ସେହି ସ୍ଥାନରେ ହିଂସା ସୃଷ୍ଟି ହୋଇଥିଲା। ସମ୍ପୂର୍ଣ୍ଣ ଘଟଣାର ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଏହି ଘଟଣାରେ ଜଣେ ସାମ୍ବାଦିକ ମଧ୍ୟ ମୃତ୍ୟୁବରଣ କରିଥିଲେ।

Related Posts