ବିଜେପି ଛାଡିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ବିଜେପି ଛାଡିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପୁତ୍ର ଶିଶିର ଗମାଙ୍ଗ । ଏ ନେଇ ଆଜି ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି ବାପା-ପୁଅ । ଉଭୟେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ ପଠାଇ ଦେଇଛନ୍ତି ।

ତେବେ ବିଜେପିରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡିଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ଗିରିଧର ଓ ତାଙ୍କ ପୁଅ ଶିଶିର ।ପ୍ରେସ ମିଟରେ ନିଜ ମନର ଆବେଗକୁ ପ୍ରକାଶ କରି ବିଜେପି ବିରୋଧରେ ବର୍ଷିଛନ୍ତି ଗିରିଧର। ସେ ଅଭିଯୋଗ ଆଣିଛନ୍ତି, ଦଳରେ ତାଙ୍କୁ ଦେଖି ନ ଦେଖିବା ପରି ବ୍ୟବହାର କରାଯାଉଥିଲା । ଯେଉଁ କାର୍ଯ୍ୟକ୍ରମକୁ ଦଳ ଡାକୁଥିଲା ସେଠାକୁ ଯାଉଥିଲି ଓ ଯେଉଁ କାର୍ଯ୍ୟକ୍ରମକୁ ଦଳ ଡାକୁନଥିଲା ସେଠାକୁ ଯାଉନଥିଲି ବୋଲି ସେ କହିଛନ୍ତି। ଏହାସହିତ ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କ ପ୍ରରୋଚନା ରେ ତାଙ୍କ ସହ ଏଭଳି ବ୍ୟବହାର କରାଯାଉଥିବା ଗିରିଧର କହିଛନ୍ତି।

ତେବେ ଦୀର୍ଘଦିନ ଧରି ବିଜେପିରେ କଣଠେସା ହୋଇ ରହିଥିବା ଉଭୟ ଗିରିଧର ଓ ଶିଶିର କିଛି ଦିନ ପୂର୍ବରୁ ତେଲେଙ୍ଗାନା ଗସ୍ତ କରି ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ମୁଖ୍ୟ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କୁ ଭେଟିଥିଲେ। ଏହାପରେ ଉଭୟ ଖୁବଶୀଘ୍ର ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଗିରଧର ଗମାଙ୍ଗଙ୍କ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ଏବେ ଉଭୟ ବାପ ପୁଅ ବିଆରଏସରେ ଯୋଗଦେଇ ଓଡ଼ିଶାରେ ଏହାର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଛି।

Related Posts