‘ଆୟୁଷର ଶେଷ ଚିଠି…’ କାହିଁକି ଆତ୍ମହତ୍ୟା କଲା 12 ବର୍ଷର ଆୟୁଷ ?

ଜଣେ 12 ବର୍ଷର ବାଳକ । ସେ ପୁଣି ଆତ୍ମହତ୍ୟା କଲା । ଏକଥା ଗ୍ରହଣ କରିବା ଯେତିକି କଷ୍ଟକର ସେତିକି ଯନ୍ତ୍ରଣାଦାୟକ ସେହି ପିଲାର ଶେଷ କେଇପଦ । ସ୍ପେଶାଲ ସ୍କ୍ବାର୍ଡ ଏସିପି ସଂଜୀବ ଶତପଥୀଙ୍କ ପୁଅ ଆୟୁଷର ଆତ୍ମହତ୍ୟାର କାରଣକୁ ନେଇ ଚାଲିଛି ଖୋଳତାଡ଼ । ଠିକ୍ ଏତିକି ବେଳେ ଆୟୁଷର ଡାଏରୀରୁ ମିଳିଛି ଏକ ମର୍ମସ୍ପର୍ଶୀ ଚିଠି । ୧୨ ବର୍ଷ ଆୟୁଷ, ବାପା-ମାଆ-ଭଉଣୀଙ୍କ ଉଦ୍ଦେଶ୍ୟରେ ଯାହା ଲେଖିଛି, ତାହା କେବଳ ତାଙ୍କ ପରିବାରକୁ ନୁହେଁ, ଯେ କାହାରିକୁ ଲୁହରେ ବୁଡ଼ାଇ ଦେଇଛି ।

ନିଜ ଶେଷ ଚିଠିରେ ଆୟୁଷ ଲେଖିଛି…ମୋ ମାଆ: ଏ ପୃଥିବୀର ସବୁଠୁ ସୁନ୍ଦର ମହିଳା । ଯିଏ ମୋତେ ସବୁଠାରୁ ବେଶୀ ଭଲ ପାଆନ୍ତି, ମୋର ଯତ୍ନ ନିଅନ୍ତି । ମୋ ବାପା, ସେ ପ୍ରକୃତରେ ସିଂଘମ୍‌ ଅଫିସର । ସବୁଠୁ ଅଧିକ ସୁନ୍ଦର ଲୋକ ଓ ମୋ ପାଇଁ ପ୍ରେରଣାର ବିଶାଳ ଉତ୍ସ । ମୋ ଭଉଣୀ, ତା ପାଇଁ ମୁଁ କେବେ ଏକୁଟିଆ ଅନୁଭବ କରିନାହିଁ । ମୋ ଭାବୀ ପତ୍ନୀ, ସେ କିଏ ହେବ ମୁଁ ଜାଣିନାହିଁ, ସେ କେତେ ସୁନ୍ଦର ହୋଇଥିବ?

12 ବର୍ଷର ପୁଅକୁ ହରାଇଥିବା ପରିବାର ଏମିତି ତ ଶୋକରେ ବୁଡ଼ିଥିଲା ଏବେ ଆୟୁଷର ଏ ଶେଷ ଚିଠି ଭୁବନେଶ୍ବର ସ୍ପେଶାଲ ସ୍କ୍ବାର୍ଡ ଏସିପି ସଞ୍ଜୀବ ଶତପଥୀଙ୍କ ପୂରା ପରିବାରକୁ ଲୁହ ଓ କୋହରେ ବୁଡ଼ାଇ ଦେଇଛି । କୁହାଯାଉଛି, ଆତ୍ମହତ୍ୟା ପୂର୍ବରୁ ନିଜ ଡାଏରରୀ ଏସବୁ ଲେଖିଛି ଆୟୁଷ । ଡାଏରୀକୁ ଧରି ଅନବରତ କାନ୍ଦୁଛନ୍ତି ଏସିପି ସଂଜୀବ ଶତପଥୀ । ଆୟୁଷର ଆକସ୍ମିକ ଅନ୍ତ ପରେ ବାପାମାଆ ନିଜକୁ କ୍ଷମା କରିପାରୁନାହାନ୍ତି ।

କିନ୍ତୁ ଆୟୁଷର ଏ ଚିଠି ଆଣିଛି ଅନେକ ପ୍ରଶ୍ନ । ପରିବାରକୁ ଏତେ ଭଲ ପାଉଥିବା ଆୟୁଷ, କାହିଁକି ପରିବାରଠାରୁ ସବୁଦିନ ପାଇଁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲା ? ଆୟୁଷ ଚିଠିର ଶବ୍ଦ ଗୁଡ଼ିକ ଏକ ପରିପକ୍ବ ମସ୍ତିଷ୍କର ଭାଷା ଭଳି ଲାଗୁଛି । ତେବେ ସେ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଲା କେମିତି ?

ଗତ ଶନିବାର ବିଳମ୍ବିତ ରାତିରେ ଏସିପି ସଂଜୀବ ଶତପଥୀଙ୍କ ଭୁବନେଶ୍ବର ଜୟଦେବ ବିହାର ସ୍ଥିତ ଘରେ ଘଟିଥିଲା ଅଘଟଣ । ସଂଜୀବଙ୍କ କହିବା ଅନୁସାରେ ଶନିବାର ରାତି ୧୦ଟାରେ ଟ୍ୟୁସନରୁ ଫେରିବା ପରେ ଘରେ ପୋଷା କୁକୁର ସହ ଖେଳୁଥିଲା ଆୟୁଷ । ରାତି ପ୍ରାୟ ସାଢ଼େ ୧୨ଟା ଯାଏଁ ଆୟୁଷ ହନି ସହ ଖେଳୁଥିବା ଦେଖି ବିରକ୍ତ ହୋଇଥିଲେ ସଂଜୀବଙ୍କ ସ୍ତ୍ରୀ । ଏହାକୁ ସହ୍ୟ କରିପାରିନଥିଲା ଆୟୁଷ । ନିଜ ମା’ଙ୍କୁ ଡରାଇବାକୁ ଯାଇ ଆୟୁଷ ବେକରେ ଜିନ୍ସ ପ୍ୟାଣ୍ଟ ଗୁଡ଼ାଇଥିଲା । ଦୁର୍ଘଟଣାବଶତଃ ସେଇ ଜିନ୍ସ ପ୍ୟାଣ୍ଟ ପଙ୍ଖାରେ ଲଟକି ଯାଇଥିଲା । ଯାହାକୁ ତାଙ୍କ ମା’ ଦେଖି ପାରି ନ ଥିଲେ । ଆୟୁଷର ମୃତ୍ୟୁ ଏକ ଦୁର୍ଘଟଣା, ଆତ୍ମହତ୍ୟା ନୁହେଁ ବୋଲି ସଂଞ୍ଜୀବ କହିଛନ୍ତି ।

Related Posts