ପରଲୋକରେ କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ ଶିଖ ମିଲଖା ସିଂ


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ ଶିଖ ଭାବେ ପରିଚିତ ଆଥଲେଟ୍ ମିଲଖା ସିଂ ଆଉ ଏହି ଦୁନିଆରେ ନାହାନ୍ତି। ୧୯୫୮ ଟୋକିଓ ଏସୀୟ ଗେମ୍ସରେ ୨୦୦ ମିଟର ଏବଂ ୪୦୦ ମିଟର ରେସ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ୯୧ ବର୍ଷିୟ ମିଲଖା ସିଂଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ସେ ୯ ମଇରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।  ଜୁନ୍ ୩ ରେ ତାଙ୍କୁ ଚିକିତ୍ସା ପାଇଁ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (PGIMER) ରେ ଭର୍ତ୍ତି କରାଯାଇଥିଲା। ମିଲଖା ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ,” ମୁଁ କିଛି ଦିନ ପୂର୍ବରୁ ଶ୍ରୀ ମିଲଖା ସିଂ ଜୀଙ୍କ ସହ କଥା ହୋଇଥିଲି।  ମୁଁ ଜାଣି ନଥିଲି ଯେ ଏହା ଆମର ଶେଷ ବାର୍ତ୍ତାଳାପ ହେବ । କୋଟି କୋଟି ଲୋକ ତାଙ୍କ ଜୀବନ ଯାତ୍ରାରୁ ପ୍ରେରଣା ପାଇବେ । ତାଙ୍କ ପରିବାର ଏବଂ ବିଶ୍ୱରେ ଥିବା ତାଙ୍କର ଅନେକ ପ୍ରଶଂସକଙ୍କୁ ମୋର ସମବେଦନା।”

ଜୁନ୍ ୧୩ ତାରିଖରେ ତାଙ୍କ ପତ୍ନୀ ତଥା ପୂର୍ବତନ ଭଲିବଲ୍ ନ୍ୟାସନାଲ କ୍ୟାପଟେନ ନିର୍ମଲ କୌରଙ୍କ ଦେହାନ୍ତ ହୋଇଥିଲା।  ପତ୍ନୀଙ୍କ ମୃତ୍ୟୁର ୫ ଦିନ ପରେ ବର୍ତ୍ତମାନ ମିଲଖା ସିଂଙ୍କ  ମଧ୍ୟ ନିଧନ ଘଟିଛି।  ୧୯୬୨ ଜାକର୍ତ୍ତା ଏସୀୟ ଗେମ୍ସରେ ୪୦୦ ମିଟର ଏବଂ ୧୬୦୦  ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।  ତାଙ୍କୁ ୧୯୫୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ମିଲଖା ସିଂ ୧୯୫୮ ମସିହାରେ କାର୍ଡିଫ୍ କମନୱେଲଥ ଗେମ୍ସରେ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।   ୪୦୦ ମିଟର ରେସ୍ ରେ ସେ ଦକ୍ଷିଣ ଆଫ୍ରିକାର ମଲକମ୍ ସ୍ପେନ୍ସଙ୍କୁ ପଛରେ ପକାଇ ୪୬.୬ ସେକେଣ୍ଡରେ ରେସ୍ ଜିତିଥିଲେ। କମନୱେଲଥ ଗେମ୍ସରେ ଏହି ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ ତାଙ୍କ ସହିତ ୫୦ ବର୍ଷରୁ ଅଧିକ ସମୟ ରହିଥିଲା। ଏହା ପରେ ୨୦୧୦ ମସିହାରେ ଦିଲ୍ଲୀ କମନୱେଲଥ ଗେମ୍ସରେ କୃଷ୍ଣ ପୁନିୟା ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ ଭାଙ୍ଗିଥିଲେ।

Related Posts