ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ନିଧନ ଘଟିଛି । କୋଲକାତାର ଏକ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାଙ୍କର  ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ସେ କୋଭିଡ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ପରେ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ଜୁନ ୮ରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ଏୟାରଲିଫ୍ଟ ଯୋଗେ କୋଲକାତା ନିଆଯାଇଥିଲା। ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଫୁସଫୁସର ଜଟିଳତା ସୃଷ୍ଟି ହୋଇଥିବାରୁ ଡାକ୍ତରମାନେ ଇକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ତାଙ୍କୁ କୋଲକାତାର ଏକ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ନିଆଯାଇଥିଲା। ସୂଚନାଯୋଗ୍ୟ ଯେ , ୧୯୯୧ ବ୍ୟାଚର ଆଇପିଏସ ଅଫିସର ପୂର୍ବରୁ କୋଭିଡ୍ ଟିକାର ଦୁଇଟି ଡୋଜ ନେଇ ସାରିଥିଲେ। କିନ୍ତୁ ମେ ମାସରେ ସେ କୋଭିଡ ଆକ୍ରାନ୍ତ ହୋଇଥିଲେ। ଏହାପରେ ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ଏକ ଭେଣ୍ଟିଲେଟରରେ ରଖାଯାଇଥିଲା। ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ସେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ରାଜନୀତି ବିଜ୍ଞାନରେ ସ୍ନାତକ କରିବା ପରେ ଦିଲ୍ଲୀ ଜେଏନ୍‌ୟୁରୁ ଏମଫିଲ କରିଥିଲେ । ଏହା ପରେ ସେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ୧୯୯୧ ମସିହାରେ ଆଇପିଏସ୍ ଅଫିସର ଭାବେ ଯୋଗ ଦେଇଥିଲେ। ବିଭିନ୍ନ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିବା ସହ ବର୍ତ୍ତମାନ ଓଡିଶାର ଭିଜିଲାନ୍ସ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ଏତଦ୍ ବ୍ୟତୀତ ସେ ଜଣେ ସୁ-ସାହିତ୍ୟିକ ଭାବେ ମଧ୍ୟ ସୁନାମ ଅର୍ଜନ କରିଥିଲେ। ସେ ୯ଟି ଉପନ୍ୟାସ ଏବଂ ୭ଟି କ୍ଷୁଦ୍ରଗଳ୍ପ ରଚନା କରିଥିଲେ। ୨୦୦୨ ମସିହାରେ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

Related Posts