ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ଭଳି ଓଡ଼ିଶାରେ ମଧ୍ୟ ଜାତିଭିତ୍ତିକ ଜନଗଣନା କରିବାକୁ ଦାବି କରିଛି ରାଜ୍ୟ ସମାଜବାଦୀ ପାର୍ଟି । ଏନେଇ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି । ଦାବିପତ୍ରରେ ଦର୍ଶାଯାଇଛି ଯେ ଜାତିଭିତ୍ତିକ ଜଣଗଣନା ନେଇ ଗତ ବର୍ଷ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ପାସ କରାଯାଇଥିଲା । କେନ୍ଦ୍ର ସରକାର ରାଜ୍ୟ ପଛୁଆ ବର୍ଗ କମିଶନଙ୍କୁ ରାଜ୍ରସ୍ତରରେ ଜନଗଣନା କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । ରାଜ୍ୟ ପଛୁଆ ବର୍ଗ କମିଶନ ଗତ ବର୍ଷ ମେ’୧ରୁ ଜୁନ ୧୫ ତାରିଖ ମଧ୍ୟରେ ଜାତିଗଣନା କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କୋଭିଡ ସଂକ୍ରମଣ ଯୋଗୁ ଏହା ସ୍ଥଗିତ ହୋଇଯାଇଥିଲା । ରାଜ୍ୟରେ ଇତି ମଧ୍ୟରେ ସଂକ୍ରମଣ ହ୍ରାସ ପାଇଛି ।
କଟକଣା ମଧ୍ୟ ଉଠାଇ ଦିଆଯାଇଛି । ଏହା ସତ୍ତ୍ୱେ ଏପର୍ପ୍ୟନ୍ତ ଗଣନା କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପଛୁଆ ବର୍ଗ କମିଶନଙ୍କ ନିକଟରେ ସମାଜବାଦୀ ପାର୍ଟି ଦାବି କରିଥିଲା । କମିଶନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।





