(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର :ରାଜ୍ୟରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଶହ ଶହ କୋଟି ଅନୁଦାନ ଟଙ୍କାରେ ଯେଉଁସବୁ ସ୍ପେଶାଲ ହସ୍ପିଟାଲ୍ ଖୋଲାଯାଇଛି ଏସବୁ ପ୍ରାୟ ଘରୋଇ ବା ପ୍ରାଇଭେଟ୍ ସଂସ୍ଥା। ଗତକାଲି ବରଗଡ ଜିଲ୍ଲାରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ଶଯ୍ୟାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଖବର ନିଶ୍ଚିତ ଭାବରେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଏଥିପାଇଁ ଖବକାଗଜମାନଙ୍କରେ ଓ ଟିଭି ଚ୍ୟାନେଲ ରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମସ୍ତ ଶ୍ରେୟ ଦିଆଯାଇ ଖବର ପ୍ରକାଶ କରାଯାଇଛି। ସେପଟେ ପଶ୍ଚିମ ଓଡ଼ିଶା ଓ ବିଶେଷ କରି ବରଗଡ଼ ର ବହୁ ବୁଦ୍ଧିଜୀବୀ ଧର୍ମେନ୍ଦ୍ରଙ୍କ ଏହି ନିଷ୍ପତ୍ତିକୁ ନେଇ ବିକଳ୍ପ ମତ ଦେଇଛନ୍ତି। ପ୍ରଥମ କଥା ହେଲା, ବରଗଡ଼ ରଏହି ସ୍ପେଶାଳ କୋଭିଡ଼ ହସ୍ପିଟାଲ ଟି ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନା ରେ କରାନଯାଇ ଏକ ଘରୋଇ ସଂସ୍ଥା ବିକାଶ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଖୋଲାଯାଇଛି। ଇଣ୍ଡିଆନ ଅଏଲ ସିଏସଆର ପାଣ୍ଠିରୁ ୧୧.୫୦ କୋଟି ଟଙ୍କା ଖର୍ଚ୍ଚ କରି ୭୦ଟି ଭେଣ୍ଟିଲେଟର ସହିତ ଆଇସିୟୁ ବେଡ୍, ୩୦ଟି ଭେଣ୍ଟିଲେଟର ବେଡର ଅପଗ୍ରଡେସନ କରିବା ସହ ଆନୁସଙ୍ଗିକ ଉପକରଣର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ ହେଉଛି ପ୍ରଧାନ ବାବୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସରକାରୀ ପ୍ରତିଷ୍ଠାନରେ ଏହି ହସ୍ପିଟାଲ ଖୋଲିପାରିଥାନ୍ତେ। ଅନେକଙ୍କ ସନ୍ଦେହ ଏହାର ସୁବିଧା ସାଧାରଣ ଲୋକଙ୍କୁ ମିଳିବ ନା ନାହିଁ? କାରଣ ଏହି ସୁବିଧା ଜିଲ୍ଲା ହସ୍ପିଟାଲରେ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ସବୁଠାରୁ ସବୁଠାରୁ ଦାମୀ ଘରୋଇ ଡାକ୍ତରଖାନା ବିକାଶ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଖୋଲାଯାଇଛି। ଏହା ଦ୍ବାରା ପଶ୍ଚିମ ଓଡ଼ିଶାର ଧନୀ ଲୋକ ହିଁ ବିଶେଷ ଭାବରେ ଉପକୃତ ହେବେ। ପଶ୍ଚିମ ଓଡ଼ିଶା ବାସୀଙ୍କ ଆଉ ଏକ ଅଭିଯୋଗ ହେଲା, କୋଭିଡ୍ ମହାମାରୀ ତ ଏବେ ଆସିଲା, କିନ୍ତୁ ସବୁଜ ବିପ୍ଳବ କାରଣରୁ ରାଜ୍ୟର କର୍କଟ ରୋଗର ରାଜଧାନୀ ବୋଲି କୁହାଯାଉଥିବା ବରଗଡ ଗତ ୬ ବର୍ଷ ଧରି କ୍ୟାନସର ପାଇଁ ସର୍ବଦା ଖବରରେ ରହି ଆସିଛି। କୋଭିଡ୍ ଅପେକ୍ଷା କ୍ୟାନସର ହେଉଛି ବରଗଡ଼ ବାସୀଙ୍କ ମୁଖ୍ୟ ସମସ୍ୟା। କର୍କଟ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଠାକାର ବାସିନ୍ଦାମାନେ ଦୀର୍ଘ ଦିନ ଧରି ସ୍ବତନ୍ତ୍ର କର୍କଟ ଡାକ୍ତରଖାନା ପାଇଁ ଦାବି କରିଆସୁଛନ୍ତି। ନବୀନ ବାବୁ ଦୁଇ ଦୁଇ ଥର ପ୍ରତିଶ୍ରୁତି ସହ ଘୋଷଣା ମଧ୍ୟ କଲେ କିନ୍ତୁ ଏ ଯାଏଁ କିଛି ହେଲା ନାହିଁ। କେନ୍ଦ୍ରମନ୍ତ୍ରୀ ପ୍ରଧାନ ମଧ୍ୟ ଏହି ସମସ୍ୟାକୁ ଭଲ ଭାବରେ ଜଣନ୍ତି କିନ୍ତୁ ଏହା ଉପରେ ପଦୁଟିଏ ବି କହି ନାହାନ୍ତି। ଏଥର ‘ହୋଲି ‘ ରେ ଯେତେବେଳେ ସମସ୍ତେ ରଙ୍ଗର ପର୍ବ କୁ ସେଲିବ୍ରେଟ୍ କରୁଥିଲେ। ସେତେବେଳେ ସେହି ବରଗଡ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ଅଶ୍ଵିନୀ ଦର୍ଜୀ ଯିଏ ନିଜେ ଜଣେ କ୍ୟାନସର ରୋଗୀ ,ସେ ତାଙ୍କ ଦେହରେ ରଙ୍ଗ ରେ “I Want Cancer Hospital in Bargarh ” ବୋଲି ଲେଖି ଅଧିନବ ଢଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଥିଲେ, ଯାହାକି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
Related Posts
-
Copyright © SatyaPatha2021