୨୧ ବର୍ଷ ପରେ କାନ୍ଦି କାନ୍ଦି ବାର୍ସିଲୋନା ଛାଡିଲେ ଷ୍ଟାର ଫୁଟବଲର ଲିଓନେଲ ମେସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବିଶ୍ବର କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ବାର୍ସିଲୋନା କ୍ଲବ୍ ସହ ଦୀର୍ଘ ୨୧ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି। ରବିବାର ବାର୍ସିଲୋନା କ୍ଲବ୍ ପକ୍ଷରୁ ପକ୍ଷରୁ ଆୟୋଜିତ ଶେଷ ସାମ୍ବାଦିକ ସମ୍ମିଳନୀରେ ମେସି ଭାବପ୍ରବଣ ହୋଇ ପଡ଼ିଥିଲେ। ତାଙ୍କ ଆଖିର ଲୁହକୁ ସେ ରୋକିପାରି ନଥିଲେ। ଏଠାକାର କ୍ୟାମ୍ପ ନାଉ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ମେସି ଖୁବ୍ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ।
ମେସି କହିଛନ୍ତି, ‘ମୋ ପାଇଁ ଏତେ ବର୍ଷ, ପାଖାପାଖି ପୂରା ଜୀବନ ଏଠାରେ ବିତାଇବା ପରେ ଟିମକୁ ଛାଡ଼ିବା ବହୁତ କଷ୍ଟକର। ବହୁତ କଷ୍ଟସାଧ୍ୟ, ମୁଁ ଏଥିପାଇଁ ପ୍ରସ୍ତୁତ ନଥିଲି। ଗତ ବର୍ଷ ମୁଁ ବିଦାୟ ନେବାକୁ ପ୍ରସ୍ତୁତ ଥିଲି। କିନ୍ତୁ ଏଥର ନୁହେଁ। ମୋ ପରିବାର ଏବଂ ମୁଁ ଏଠାରେ ଆମ ଘରେ ରହିବାକୁ ଚାହୁଁଥିଲୁ।”
ମେସି ଆହୁରି କହିଛନ୍ତି, “ଆଜି ମୋତେ ବିଦାୟ ନେବାକୁ ପଡିବ। ଯେତେବେଳେ ମୁଁ ଏଠାକୁ ଆସିଥିଲି, ସେତେବେଳେ ମୋତେ ମାତ୍ର ୧୩ ବର୍ଷ ହୋଇଥିଲା। ବର୍ତ୍ତମାନ ୨୧ ବର୍ଷ ପରେ ମୁଁ ମୋ ପତ୍ନୀ ଏବଂ ତିନି ପିଲାଙ୍କ ସହ ଏଠାରୁ ଯାଉଛି।”

ମେସିଙ୍କୁ ବାର୍ସିଲୋନା ଛାଡିବାକୁ ପଡିଲା କାହିଁକି ?

ଏହା ପଛରେ ବାର୍ସିଲୋନାର ଆର୍ଥିକ ସମସ୍ୟା । ଗତ ବର୍ଷ ମଧ୍ୟ ସେମାନଙ୍କ ଅଲଗା ହେବାର ଖବର ଆସିଥିଲା। କିନ୍ତୁ ପରେ ମେସି ଏବଂ ବାର୍ସିଲୋନା ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଗୁରୁବାର ଦିନ ଏକ ନୂତନ ଚୁକ୍ତି ସ୍ୱାକ୍ଷର କରିବାକୁ ଉଭୟ ରାଜି ହୋଇଥିଲେ। ଆଗାମୀ ୫ ବର୍ଷ ପାଇଁ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ହୋଇପାରେ ବୋଲି ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ କ୍ଲବ କହିଛି ଯେ ଲା ଲିଗା ଖେଳାଳିଙ୍କ ପଞ୍ଜୀକରଣ ସହ ଜଡିତ ନିୟମ ହେତୁ ଏହା କରିବା ସମ୍ଭବ ନୁହେଁ। ସ୍ପେନର ଲା ଲିଗା ହେଉଛି ଏକ ଲିଗ୍ ଯେଉଁଥିରେ ଫୁଟବଲ୍ କ୍ଲବ୍ ବାର୍ସିଲୋନା ଖେଳେ ।

ମେସି କୁଆଡେ ଯାଇପାରନ୍ତି

ମେସି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଙ୍କ ପାଇଁ ଅନ୍ୟ ଏକ ୟୁରୋପୀୟ ଫୁଟବଲ୍ ଲିଗ୍ କ୍ଲବ୍ PSG (ପ୍ୟାରିସ୍ ସେଣ୍ଟ୍-ଜର୍ମାନ୍) ରେ ଯୋଗଦେଇ ପାରନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଠୋସ୍ ନିଷ୍ପତ୍ତି ହୋଇନାହିଁ।

ସୂଚନାଯୋଗ୍ୟ, ଆର୍ଜେଣ୍ଟିନାର ଭେଟେରାନ୍‌ ଷ୍ଟ୍ରାଇକର ଲିଓନେଲ ମେସି ୨୦୦୪ ମସିହାରେ ବାର୍ସିଲୋନା କ୍ଲବ୍‌ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ବାର୍ସିଲୋନା ତରଫରୁ ମୋଟ ୭୭୮ ମ୍ୟାଚ ଖେଳି ୬୭୨ ଗୋଲ କରିଛନ୍ତି । ୨୧ ବର୍ଷର କ୍ୟାରିୟର ମଧ୍ୟରେ ଲିଓନେଲ ମେସି ମୋଟ ୩୪ଟି ଟାଇଟଲ୍ ଜିତିଛନ୍ତି ।ସେ ୫୨୦ ମ୍ୟାଚରେ ୪୭୪ ଗୋଲ୍ ସହ ସ୍ପାନିଶ୍ ଲିଗରେ ମଧ୍ୟ ଟପ୍ ସ୍କୋରର ରହିଛନ୍ତି।

Related Posts