(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ” ପୁଲିସ ଷ୍ଟେସନ ମାନବିକ ଅଧିକାର ପ୍ରତି ସବୁଠାରୁ ଅଧିକ ବିପଦ। ” ଏଭଳି ଟିପ୍ପଣୀ କରି ପୁଲିସ ଚରିତ୍ରକୁ ପଦାରେ ପକାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମନା । ରବିବାର ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଆଇନ ସେବା ପ୍ରାଧିକରଣର ଆପ୍ ରିଲିଜ୍ କାର୍ଯ୍ୟକ୍ରମରେ ଜଷ୍ଟିସ୍ ରମନା ଏହି କଥା କହିଛନ୍ତି। ଜଷ୍ଟିସ୍ ରମନା କହିଛନ୍ତି, ” ଏବେ ବି ବିଚାର ବିଭାଗୀୟ ନିର୍ଯାତନା ଏବଂ ପୁଲିସର ଅତ୍ୟାଚାର ବଳବତ୍ତର ରହିଛି। ପୁଲିସ ଷ୍ଟେସନରେ ମାନବିକ ଅଧିକାର ପ୍ରତି ଅଧିକ ବିପଦ ଦେଖାଦେଇଛି। ଜେଲରେ ଥିବା ବେଳେ ସମ୍ୱିଧାନ ଅନୁଯାୟୀ ନାଗରିକଙ୍କୁ ବଞ୍ଚିବା ପାଇଁ ଯେଉଁ ଅଧିକାର ଦିଆଯାଇଛି ତାହାର ଉଲ୍ଲଘଂନ ହେଉଛି। ଆଉ ଏଭଳି ଘଟଣା ଥାନାରେ ଅଧିକ ଦେଖାଯାଉଛି।
ଜଷ୍ଟିସ ରମନ୍ନା କହିଛନ୍ତି, ଥାନାରେ ଗୋଟିଏ ପ୍ରଭାବଶାଳୀ ଆଇନଗତ ପ୍ରତିନିଧିଙ୍କ ଅଭାବ ରହିଛି। ଯାହାକି ଜେଲରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଗୋଟିଏ ବଡ଼ କ୍ଷତି। ତେଣୁ ପୁଲିସ ଯେଉଁଭଳି ଭାବରେ କାମ କରୁଛି ଏହାକୁ ରୋକିବା ପାଇଁ ଆମକୁ ସାମ୍ବିଧାନିକ ଆଇନ ସହାୟତା ମାଗଣାରେ ଯୋଗାଇବା ଠିକ୍ ହେବ।
ସେ କହିଛନ୍ତି ଯେ ଯଦି ନ୍ୟାୟପାଳିକାକୁ ଗରିବ ଏବଂ ଦଳିତଙ୍କ ବିଶ୍ୱାସ ଜିତିବାକୁ ପଡିବ। ଯଦି ନ୍ୟାୟପାଳିକା ନାଗରିକଙ୍କ ବିଶ୍ୱାସ ଜିତିବାକୁ ଚାହୁଁଛି, ତେବେ ଆମକୁ ସମସ୍ତଙ୍କୁ ଅନୁଭବ କରିବାକୁ ପଡିବ ଯେ ଆମେ ଦୀର୍ଘ ସମୟ ଧରି, ନିର୍ଦ୍ଧିଷ୍ଟ ବର୍ଗର ଜନସଂଖ୍ୟା ନ୍ୟାୟ ବ୍ୟବସ୍ଥାର ବାହାରେ ରହିଆସୁଥିଲେ। ଜଷ୍ଟିସ୍ ରମଣା ସ୍ବୀକାର କରିଛନ୍ତି ଯେ ବ୍ୟୟବହୁଳ ଏବଂ ବିଳମ୍ବିତ ନ୍ୟାୟ ଗରିବ ଲୋକଙ୍କୁ ଆଇନରେ ଆଶ୍ରୟ ନେବାକୁ ନିରୁତ୍ସାହିତ କରୁଛି। ସେ କହିଛନ୍ତି ଯେ ନ୍ୟାୟ ବ୍ୟବସ୍ଥା ପୂର୍ବ ଅପେକ୍ଷା ସବୁଠାରୁ ବଡ ଆହ୍ବାନ ହୋଇ ଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆମର ଇତିହାସ ଆମର ଭବିଷ୍ୟତ ସ୍ଥିର କରିପାରିବ ନାହିଁ ଏବଂ ଆମକୁ ମନେ ରଖିବା ଉଚିତ ଯେ ଦେଶର ସାମାଜିକ ତଥା ଅର୍ଥନୈତିକ ବ୍ୟବସ୍ଥାର ବାସ୍ତବତା କାହାକୁ ଅଧିକାର ନ ଦେବାର କାରଣ ହୋଇପାରିବ ନାହିଁ। ସେ କହିଛନ୍ତି ଯେ ନିର୍ଯ୍ୟାତନାକୁ ରୋକିବା ପାଇଁ ଆଇନଗତ ସହାୟତା ଏବଂ ମାଗଣା ଆଇନ ସହାୟତା ଉପଲବ୍ଧ ହେବା ଜରୁରୀ ଅଟେ। ଯେଉଁସବୁ ଆଇନଗତ ସୁବିଧା ରହିଛି ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ। ସମସ୍ତ ଥାନା କିମ୍ବା ଜେଲ ବାହାରେ ଏହି ସୁବିଧା ସାର୍ବଜନୀନ ହେବା ଦରକାର। ଏ ଦିଗରେ ପ୍ରଧାନ ବିଚାରପତି ଆଗାମୀ ଦିନରେ ପଦକ୍ଷେପ ନେବେ ବୋଲି ଆଶ୍ୱସ୍ତ କରାଇଛନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଦେଶରେ ଗତ ଦଶ ବର୍ଷ ମଧ୍ୟରେ ୧୦୦୪ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଏନସିଆରବି ତଥ୍ୟ ଅନୁଯାୟୀ, ଏଥି ମଧ୍ୟରୁ 69% ପ୍ରାକୃତିକ କାରଣ କିମ୍ବା ଆତ୍ମହତ୍ୟା କାରଣରୁ ମୃତ୍ୟୁବରଣ କରିଥିବା ଦର୍ଶାଯାଇଛି। ଏହି ଅବସରରେ ଲିଗାଲ୍ ଏଡ୍ ସର୍ଭିସେସ୍ ଆପର ସେ ଉନ୍ମୋଚନ କରି କହିଛନ୍ତି, “ଆଜି ଘୋଷଣା କରାଯାଇଥିବା ଲିଗାଲ୍ ଏଡ୍ ସର୍ଭିସେସ୍ ଆପ୍ ଆଇନ ସେବା ତଥା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ସମସ୍ତ ଆଇନଜୀବୀଙ୍କ ମୋବାଇଲ୍ ଫୋନରେ ଡାଉନଲୋଡ କରିହେବ। ଆଉ ଦେଶର ଯେକୌଣସି ସ୍ଥାନରେ ଲୋକମାନେ ଏହା ଜରିଆରେ ଆଇନଗତ ସହାୟତା ପାଇଁ ଆବେଦନ କରିପାରିବେ। କରୋନା ମହାମାରୀ ସତ୍ତ୍ୱେ ଆମେ ଆମର ଆଇନ ସହାୟତା ସେବା ଜାରି ରଖିବାରେ ସକ୍ଷମ ହୋଇଛୁ। ଏପରି ବୈଷୟିକ ଉପକରଣ ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବ”।