ରାଜ୍ୟରେ ଚାଷ କ୍ଷେତ୍ରରେ ନୁହେଁ ବରଂ ଶିଳ୍ପ ସଂସ୍ଥାରେ ବ୍ୟବହାର ହେଉଛି ଅଧିକ ବିଜୁଳି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି। ତେବେ ଏତେ ସବୁ ଯୋଜନା ସତ୍ତ୍ବେ କୃଷି କ୍ଷେତ୍ରରେ କିନ୍ତୁ ବିଜୁଳି ବ୍ୟବହାର କିନ୍ତୁ ନୈରାଶ୍ୟଜନକ ରହିଛି । ସାରା ରାଜ୍ୟରେ କୃଷି କ୍ଷେତ୍ରରେ ବାର୍ଷିକ ୭୦୦ ନିୟୁତ ୟୁନିଟ୍‍ ବିଜୁଳି ବି ବ୍ୟବହାର ହୋଇ ପାରୁ ନଥିବା ବେଳେ ଶିଳ୍ପରେ ସର୍ବାଧିକ ବିଜୁଳି ବ୍ୟବହାର ହେଉଥିବା ଜଣାପଡ଼ିଛି ।

କୃଷି କ୍ଷେତ୍ରରେ ବିଜୁଳିର ବ୍ୟବହାର କହିଲେ ସାଧାରଣତଃ ଶୀତଳଭଣ୍ଡାର ଓ ଜଳସେଚନ ପାଇଁ ବ୍ୟବହାର ହୋଇଥାଏ । ଏତଦ୍ ବ୍ୟତୀତ ଫସଲ ଅମଳ ପାଇଁ ଚାଷୀମାନେ ବିଜୁଳି ବ୍ୟବହାର କରୁଥିଲେ ସୁଦ୍ଧା ଏହାର ପରିମାଣ ଅତି କମ୍। ଅନୁଧ୍ୟାନ ମୁତାବକ ୨୦୧୫-୧୬ ବର୍ଷରେ ଚାଷୀମାନେ ୧୦୦ କୋଟି ଟଙ୍କାରୁ କମ୍‍ ବିଜୁଳି ବ୍ୟବହାର କରିଥିବାବେଳେ ୨୦୧୯-୨୦ ରେ ୧୭୪କୋଟି ଟଙ୍କାରୁ କମ୍‍ ବ୍ୟବହାର କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଚାଷୀମାନେ ୬୭୧ ନିୟୁତ ୟୁନିଟ୍‍ ବିଜୁଳି ବ୍ୟବହାର କରିଛନ୍ତି । ସର୍ବାଧିକ ଚାଷୀ ଟିପିଡବ୍ଲ୍ୟୁଓଡିଏଲ୍‍ କମ୍ପାନୀ ଅଧିନରେ ଥିବାବେଳେ ସବୁଠାରୁ କମ୍‍ ଚାଷୀ ଟିପିଏସ୍‍ଓଡିଏଲ୍‍ ଅଧିନରେ ରହିଥିବା ଜଣାପଡିଛି।

ରାଜ୍ୟରେ ସର୍ବାଧିକ ଅଧିକ ବିଜୁଳି ବିନିଯୋଗ ଶୀତଳଭଣ୍ଡାର ଗୁଡିକରେ ହୋଇଥାଏ। କିନ୍ତୁ ସଂଯୋଗର କଥା ହେଉଛି ରାଜ୍ୟରେ ବହୁ ଅଳ୍ପ ସଂଖ୍ୟକ ଶୀତଳଭଣ୍ଡାର କାମ କରୁଛି । ଏବଂ ଅଧିକ ସଂଖ୍ୟକ ଅଚଳ ଶୀତଳଭଣ୍ଡାର ଥିବାରୁ ବିଜୁଳି ବ୍ୟବହାର କମ୍‍ ରହୁଛି । କୌଣସି ଗୋଟିଏ ହେଲେ ବିତରଣ କମ୍ପାନୀ ଅଧିନରେ ବର୍ଷକୁ ୧୦୦ ନିୟୁତ ୟୁନିଟ୍‍ ବିଜୁଳି ଶୀତଳଭଣ୍ଡାରରେ ଖର୍ଚ୍ଚ ହୋଇପାରୁ ନାହିଁ । ଟିପିସିଓଡିଏଲ୍‍କୁ ବାଦ୍‍ ଦେଲେ ଅନ୍ୟ ତିନିଟି କମ୍ପାନୀ ଅଞ୍ଚଳରେ ଶୀତଳଭଣ୍ଡାରରେ ବର୍ଷକୁ ବିଜୁଳି ଖର୍ଚ୍ଚ ୧୫ନିୟୁତ ୟୁନିଟ୍‍ ରୁ ଅଧିକ ଖର୍ଚ୍ଚ ହେଉ ନାହିଁ। 

ଶୀତଳଭଣ୍ଡାରରେ ବିଜୁଳି ଦର ୟୁନିଟ୍‍ ପିଛା ୪ଟଙ୍କା ୪୦ ପଇସା ଧାର୍ଯ୍ୟ ହୋଇଥିବାବେଳେ ନୂତନ ଭାବେ ପ୍ରତିଷ୍ଠା ହେଉଥିବା ଶୀତଳଭଣ୍ଡାର ପାଇଁ ରାଜ୍ୟ ସରକାର ବିଜୁଳି ରିହାତି ଘୋଷଣା କରିଛନ୍ତି । କିନ୍ତୁ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ କୌଣସି ସଂସ୍ଥା ରାଜି ହେଉ ନାହାନ୍ତି। ଅନ୍ୟ ପକ୍ଷରେ ସରକାରୀ ଶୀତଳଭଣ୍ଡାର ଗୁଡିକ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ତେଣୁ କୃଷି କ୍ଷେତ୍ରରେ ଯେତିକି ପରିମାଣରେ ବିଜୁଳି ବ୍ୟବହାର ହେବାକଥା ସେତିକି ହୋଇ ପାରୁ ନାହିଁ । ସେହିଭଳି ଜଳସେଚନ ପାଇଁ ବିଜୁଳି ବ୍ୟବହାର କମ୍‍ ରହିବାର କାରଣ ହେଉଛି ବିଜୁଳି ଦର । ଦର ଉଚ୍ଚା ଯୋଗୁଁ ଅଧିକାଂଶ ସ୍ଥାନରେ ଚାଷୀମାନେ ଜଳସେଚନ ପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଉ ଥିବା ଦେଖାଯାଉଛି। 

କେବଳ ଜଳସେଚନ ନୁହେଁ, ର‌୍ୟାରେ ପାନୀୟଜଳ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଶିକ୍ଷାନୁଷ୍ଠାନରେ ମଧ୍ୟ ବିଜୁଳି ବ୍ୟବହାର ବହୁତ କମ୍ ରହିଛି । ତେବେ ପାନୀୟଜଳ ପାଇଁ ବର୍ଷକୁ ୨୫୫ ନିୟୁତ ୟୁନିଟ୍‍ରୁ କମ୍‍ ବିଜୁଳି ବ୍ୟବହାର ହେଉଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଓ ଶିକ୍ଷାନୁଷ୍ଠାନଗୁଡିକରେ ଏହା ୧୭୮ ନିୟୁତ ୟୁନିଟ୍‍ ଏବଂ ଶିଳ୍ପସଂସ୍ଥାରେ ସର୍ବାଧିକ ୪୫୮୪ ନିୟୁତ ୟୁନିଟ୍‍ ବିଜୁଳି ବ୍ୟବହାର ହୋଇଛି ।

Related Posts