ନୂଆ ସଂସଦ ଭବନ ଶୀର୍ଷରେ ଲାଗିଥିବା ଅଶୋକ ସ୍ତମ୍ବର ସିଂହ ମାନେ ହିଂସ୍ର ନୁହନ୍ତି: ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନୂଆ ସଂସଦ ଭବନର ଶୀର୍ଷରେ ଲାଗିଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ନେଇ ବିବାଦ ଉପୁଜିଥିଲା। ଏହି ସିଂହକୁ ହିଂସ୍ର ମୁଦ୍ରାରେ ତିଆରି କରାଯାଇଥିବା ଅଭିଯୋଗ ଉଠିବା ସହ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା। ଆଜି ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଆଡଭୋକେଟ ଆଲଦାନିଶ ରେନ୍ ପକ୍ଷରୁ ଆଗତ ଏହି ଆବେଦନରେ କୁହାଯାଥିଲା ଯେ, ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଅନାବରଣ କରାଯାଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବର ୩ ସିଂହ ଅଧିକ ହିଂସ୍ର ବା ଭୟଙ୍କର ଦେଖାଯାଉଛନ୍ତି। ସେମାନଙ୍କ ମୁହଁ ଆକ୍ରମଣାତ୍ମକ ମୁଦ୍ରାରେ ଖୋଲା ରହିଛି। ଯାହା ବାରଣାସିରେ ସାରନା‌ଥ ସଂଗ୍ରାହଳୟରେ ଥିବା ପ୍ରକୃତ ଜାତୀୟ ପ୍ରତୀକ ରୂପର ବ୍ୟତିକ୍ରମ। ଏଠାରେ ଲାଗିଥିବା ସିଂହର ମୂର୍ତ୍ତି ଶାନ୍ତ ଏବଂ ସୌମ୍ୟ ସ୍ୱଭାବର ପ୍ରତୀୟମାନ ହୋଇଥାଏ ବୋଲି ଆବେଦନରେ ଦର୍ଶାଯାଇଥିଲା।

ଜଷ୍ଟିସ ଏମଆର ଶାହ ଏବଂ କ୍ରିଷ୍ଣ ମୁରାରିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଥିଲେ ଯେ, ନୂଆ ସଂସଦ ଭବନ ଉପରେ ପ୍ରତିଷ୍ଠା ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭରେ ଥିବା ସିଂହ ହିଂସ୍ର ଦେଖାଯାଉନାହିଁ, କି ଏହା ଜାତୀୟ ପ୍ରତୀକ-୨୦୦୫ ଆକ୍ଟକୁ ଉଲ୍ଲଂଘନ କରୁନାହିଁ। ଏହାସହିତ ଆକ୍ରମଣାତ୍ମକ ପ୍ରତିମୂର୍ତ୍ତି ବୋଲି ଉଠିଥିବା ଦାବି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି।ଏହାସହିତ ଆବେଦନକୁ ଖାରଜ କରି କହିଛନ୍ତି ଯେ ଯିଏ ଏପରି ପ୍ରଶ୍ନ ଉଠାଉଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ । ଅର୍ଥାତ ଏହା ଦେଖୁଥିବା ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ବୋଲି କୋର୍ଟ କହିଛନ୍ତି।

ସୂଚନା ଅନୁଯାୟୀ, ଅଶୋକ ସ୍ତମ୍ଭରେ ସିଂହର ଆକୃତିକୁ ନେଇ ବିରୋଧୀ ଦଳମାନେ ଆପତ୍ତି ଉଠାଇଥିଲେ। ସେମାନେ ଅଭି‌ଯୋଗ କରିଥିଲେ ଯେ, ଏହି ସିଂହକୁ ଅଧିକ ଉଗ୍ର ଓ ଆକ୍ରମଣାତ୍କମ କରାଯାଇଛି। ପୁରୁଣା ଚିହ୍ନରେ ସିଂହ ସୌମ୍ୟ ଓ ସାଧାରଣ ଦେଖାଯାଉଥିଲା ବୋଲି ଅଭିଯୋଗ ହେଉଥିଲା।

Related Posts