କର୍ଣ୍ଣାଟକରେ ପ୍ରବେଶ କଲା ‘ଭାରତ ଯୋଡୋ ଯାତ୍ରା’, ରାହୁଲଙ୍କ ନେତୃତ୍ୱରେ ବିଜେପି ଗଡରେ ୨୧ ଦିନ ପଦଯାତ୍ରା କରିବ ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି । ଆଜି ଏନେଇ ନାମାଙ୍କନ ଦାଖଲ ମଧ୍ୟ ଶେଷ ହୋଇଛି। ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳର ‘ଭାରତ ଯୋଡୋ ଯାତ୍ରା’ ଶୁକ୍ରବାର କର୍ଣ୍ଣାଟକରେ ପ୍ରବେଶ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାର ୨୧ତମ ଦିନରେ କେରଳ ସୀମାରେ ଥିବା ଚାମରାଜନଗର ଜିଲାର ଗୁଣ୍ଡଲୁପେଟ ଦେଇ କର୍ଣ୍ଣାଟକରେ ପ୍ରବେଶ କରିଛନ୍ତି।

ଆଜି ଏହି ଯାତ୍ରା ଚାମରାଜନଗରର ଓଟି-କାଲିକଟ ଜଙ୍କସନରୁ ଆରମ୍ଭ ହୋଇଥିଲା। କର୍ଣ୍ଣାଟକରେ କଂଗ୍ରେସର ଏହି ଯାତ୍ରାକୁ ୨୧ଦିନ ମଧ୍ୟରେ ପ୍ରାୟ ୫୧୧ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ। ଅନ୍ୟପଟେ କଂଗ୍ରେସ ନେତାମାନେ ଆଶା କରୁଛନ୍ତି ଯେ, ଏହି ଯାତ୍ରା କର୍ଣ୍ଣାଟକରେ ଦଳର କର୍ମକର୍ତ୍ତାଙ୍କୁ ନୂତନ ଶକ୍ତି ଦେବ। ଆସନ୍ତା ବର୍ଷ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଭାରତୀୟ ଜନତା ପାର୍ଟି ଏଠାରେ ସରକାରରେ ରହିଛି। ତାମିଲନାଡୁ ଓ କେରଳ ପରେ ଏହି ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି। ସେପଟେ ପ୍ରଥମ ବିଜେପି ଶାସିତ ରାଜ୍ୟ ଭାବେ କର୍ଣ୍ଣାଟକରେ ଏହି ଯାତ୍ରା ପ୍ରବେଶ କରିଛି। ପୂର୍ବ ଦୁଇ ରାଜ୍ୟରେ ବିଜେପିର ସରକାର ନଥିଲା। ତେବେ ଏହି ଯାତ୍ରା ବିଜେପିର କର୍ଣ୍ଣାଟକ ଗଡରେ ୨୧ ଦିନ ଚାଲିବାକୁ ଥିବାବେଳେ ଆଗାମୀ ନିର୍ବାଚନରେ ଏହାର କଣ ପ୍ରଭାବ ପଡ଼ିବ ଦେଖିବାକୁ ବାକି ରହିଲା।

ସୂଚନା ମୁତାବକ, ଭାରତ ଯୋଡୋ ଯାତ୍ରା ଏପର୍ଯ୍ୟନ୍ତ ୫୩୨କିଲୋମିଟର ଦୂରତା ଅତିକ୍ରମ କରିଛି। ଏହି ଯାତ୍ରାରେ କଂଗ୍ରେସକୁ ଆହୁରି ୩୦୩୮କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ିବ।

Related Posts