ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ପାକିସ୍ତାନ ତେରୀକ୍‌-ଏ-ଇନ୍‌ସାଫ୍‌’ ( ପିଟିଆଇ )ର ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ନିମନ୍ତେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଗୁରୁବାର ସନ୍ଧ୍ୟା ୬ଟାରୁ ପରବର୍ତ୍ତୀ ଆଦେଶ ଜାରି ହେବା ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ (ସିଲ୍‌) ଘୋଷଣା କରାଯାଇଛି। ଏହି ଘୋଷଣା ସମ୍ପର୍କରେ ଇସ୍‌ଲାମାବାଦ କ୍ୟାପିଟାଲ୍‌ ଟେରିଟରିର ଡେପୁଟି କମିସନର୍‌ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି।

ପଞ୍ଜାବ ପ୍ରଦେଶର ସାମ୍ପ୍ରତିକ ପରିସ୍ଥିତି ବିଶ୍ଲେଷଣ କରିବା ପରେ ରାଜଧାନୀରେ ବସବାସ କରୁଥିବା ଜନସାଧାରଣଙ୍କ ନିମନ୍ତେ ଶାନ୍ତିପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ନିମନ୍ତେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମାତ୍ର, ଏହି ଲକ୍‌ଡାଉନ୍‌ ସମୟରେ ଔଷଧ, ଡାକ୍ତରୀ ଚିକିତ୍ସା ନିମନ୍ତେ ରୋଗୀଙ୍କ ଗମନାଗମନ, ରେସନ୍‌ ସାମଗ୍ରୀ ଖରିଦ, ପାନୀୟ ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ‌ଯୋଗାଣ ଅବ୍ୟାହତ ରହିବ। ତେଣୁ, ଲକ୍‌ଡାଉନ୍‌ ଆରମ୍ଭ ପୂର୍ବରୁ ଜନସାଧାରଣ ରେସନ୍‌, ଔଷଧ ସଂଗ୍ରହ କରିବା ସହିତ କୌଣସି କାର୍ଯ୍ୟ ନିମନ୍ତେ ନିର୍ଦ୍ଧାରଣ କରିଥିବା ସମୟ ପରିବର୍ତ୍ତନ କରିବାକୁ ଉକ୍ତ ବିଜ୍ଞପ୍ତିରେ ନିର୍ଦେଶ ଦିଆଯାଇଛି।

ନିଜ ନିଜର ସବ୍‌ଡିଭିଜନ୍‌ରେ ଉପରୋକ୍ତ ଆଦେଶ ଲାଗୁ କରାଇବା ସହିତ ଖାଦ୍ୟଦ୍ରବ୍ୟ ଯୋଗାଣ ଅବ୍ୟାହତ ରଖିବା ନିମନ୍ତେ ଇଣ୍ଡଷ୍ଟ୍ରିଆଲ୍‌ ଏରିଆ, ସହର ଓ ଶାଲିମାର୍‌, ‘ଆଇସିଟି ଇସ୍‌ଲାମାବାଦ୍‌ର ସବ୍‌-ଡିଭିଜିନାଲ୍‌ ମାଜିଷ୍ଟ୍ରେଟ୍‌ମାନଙ୍କୁ ନିର୍ଦେଶ ଦିଆଯାଇଛି।

ସର୍ବସାଧାରଣଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକସ୍ଥଳେ କେତେକ ସ୍ଥାନ ‘କର୍ଡନ୍‌’ କରିବାକୁ ପୁଲିସକୁ କ୍ଷମତା ଦିଆଯାଇଥିବାରୁ ପଞ୍ଜାବ ପ୍ରଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମଧ୍ୟ ଏହି ବିଜ୍ଞପ୍ତିରେ ନିର୍ଦେଶ ଦିଆଯାଇଛି।