ଆଜିଠୁ ଆରମ୍ଭ ହେଲା ପଞ୍ଚୁକ ନୀତି: ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହେଲେ ମହାପ୍ରଭୁ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ନୀତି । ଏନେଇ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ଼ ଲାଗିଛି ଶ୍ରୀକ୍ଷେତ୍ରରେ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଠାକୁର ଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ମହାପ୍ରଭୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୋଇ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକ ଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି ।

ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ନଜରରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ ଅତିରିକ୍ତ ଏସପି, ୮ ଡିଏସପି, ଶହେ ଅଧିକାରୀ, ୩ଶହ ହୋମଗାର୍ଡ, ୨୪ ଇନ୍ସପେକ୍ଟରଙ୍କ ସହ ୨୬ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ଦୀର୍ଘ ଏକାମାସ ଧରି ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀଙ୍କ ପାଇଁ ପଞ୍ଚୁକ ବ୍ରତ ବେଶ୍ ମହତ୍ୱ ରଖିଥାଏ ବୋଲି ବିଶ୍ୱାସ ରହିଛି।

Related Posts