ଖୋର୍ଦ୍ଧା ଏବଂ କଟକରେ ଲକ୍ ଡାଉନ୍ ଉଠିବା ସମ୍ଭାବନା କମ : ଡିଏମଇଟି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର:  ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ୱ ହେବାରେ ଲାଗିଛି । ଏପରିସ୍ଥିତିରେ ଡିଏମଇଟି  ସିବକେ ମହାନ୍ତି ବଡ ବୟାନ ଦେଇଛନ୍ତି । ତେବେ ସଂକ୍ରମଣ ଯେତେ ପରିମାଣରେ ଆଶା କରାଯାଉଥିଲା ସେତେ କମି ନାହିଁ । ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୦ ରୁ ୧୭୦୦ ଭିତରେ ହିଁ ରହୁଛି । ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ଯିବେ ବୋଲି ଡିଏମଇଟି  ସିବକେ ମହାନ୍ତି କହିଛନ୍ତି ।

     ଏହା ସହ ଓଡ଼ିଶା ସମେତ ୫ଟି ରାଜ୍ୟରେ  ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି ବୋଲି  କେନ୍ଦ୍ର ସରକାର କହିଛନ୍ତି । ତଥାପି  ଆମ ରାଜ୍ୟରୁ ହାରାହାରି ୧୮ ଶହ ଦୈନିକ ସଂକ୍ରମଣ ରହୁଛି।   ଡିଏମଇଟି କହିଛନ୍ତି, କଟକ ଓ ଖୋର୍ଦ୍ଧାରେ ସଂପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ରହୁନି। ସ୍ଥିତି, ସମୟ, ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକ୍ ନିଷ୍ପତ୍ତି ନିଆଯିବ। ଆମ ବିଶେଷଜ୍ଞ କମିଟି ଟିମ୍ ଯାହା କହିବ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ, ସବୁ ନିଷ୍ପତ୍ତି ପରମାନେଣ୍ଟ ନୁହଁ, ଆମେ ସବୁଦିନ ଏଭଳି ବନ୍ଦ ହେଇ ରହିପାରିବାନି। 

    ଅନ୍ୟପଟେ ଇକମୋ ମେସିନକୁ ନେଇ ମଧ୍ୟ ଡିଏମଇଟି ବଡ ବୟାନ ଦେଇଛନ୍ତି । ତେବେ ରାଜ୍ୟ ସରକାର ପ୍ରଥମେ କହିଥିଲେ ୩ଟି ସ୍ଥାନରେ ଇକମୋ ଲାଗିବ। ମାତ୍ର ପରବର୍ତ୍ତୀ ସମୟରେ ମାନବ ସମ୍ବଳ ଅଭାବରୁ କେବଳ କଟକ ଏସସିବିରେ ସମସ୍ତ ମେସିନ ରଖିବା ପାଇଁ ନିଷ୍ପତ୍ତି ନିଆଗଲା। ତେବେ ଇକମୋ ମେସିନ ଭିମସାରକୁ ନ ମିଳିବା ପ୍ରସଙ୍ଗରେ ଡିଏମଇଟି କହିଛନ୍ତି ସେଠାରେ କାର୍ଡିଓଥୋରାସିସର ଭିତ୍ତିଭୂମି ନିର୍ମାଣାଧୀନ ଅଛି, ସଂପୂର୍ଣ୍ଣ ହେଲେ, ସେବା ଆରମ୍ଭ ହେବ। 

   ରାଉରକେଲାରେ କିଛି ଦିନ ମଧ୍ୟରେ ଏକମୋ ସେବା ଆରମ୍ଭ ହେବାର ରହିଛି। ଯେତେ ଶୀଘ୍ର ମାନବସମ୍ବଳ ସୁଦୃଢ଼ ହେବ ଓ ଭିତ୍ତିଭୂମି ନିର୍ମାଣ ହେବ ସେତେ ଶୀଘ୍ର ଚିକିତ୍ସା ମିଳିବ। ୩୦ ରୁ ୪୦ ଲକ୍ଷ ଟଙ୍କା ଭିତରେ ଗୋଟିଏ ଇକମୋ ମେସିନ ଲଗାଇବା ବଡ଼ କଥା ନୁହେଁ, ମାତ୍ର ମାନବସମ୍ବଳ ସବୁଠୁ ବଡ଼ ପ୍ରସଙ୍ଗ ବୋଲି  ଡିଏମଇଟି  ସିବକେ ମହାନ୍ତି କହିଛନ୍ତି ।

Related Posts