(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଲୋକସଭାର ପ୍ରକ୍ରିୟା ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ମୌସୁମୀ ଅଧିବେଶନର ଏକ ଅଂଶ ଭାବରେ ଲୋକସଭାର ପ୍ରକ୍ରିୟା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଥିଲା । କିନ୍ତୁ ବିରୋଧୀଦଳର ପ୍ରବଳ ଉତ୍ତେଜନା ମଧ୍ୟରେ ଲୋକସଭାକୁ ସ୍ଥଗିତ ରଖିବାକୁ ପଡିଥିଲା। ଏଥିପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ସେ କହିଛନ୍ତି ୧୭ ତମ ଲୋକସଭାର ଷଷ୍ଠ ଅଧିବେଶନ ଆଜି ଶେଷ ହୋଇଛି । ଏହି ଅଧିବେଶନରେ ଅଧିକ କାର୍ଯ୍ୟ ହୋଇପାରିନଥିଲା । ମୁଁ ଏଥି ପାଇଁ ଦୁଃଖିତ । ମୋର ସବୁବେଳେ ଗୃହରେ ଅଧିକ କାର୍ଯ୍ୟ କରିବା ପାଇଁ ଏବଂ ଜନସାଧାରଣଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିବା ଉପରେ ଚେଷ୍ଟା ରହିଥାଏ । କିନ୍ତୁ ତାହା ସମ୍ଭବ ହୋଇପାରୁ ନାହିଁ ବୋଲି ଓମ ବିର୍ଲା କହିଛନ୍ତି ।
କେବଳ ଏତିକି ନୁହେଁ ବରଂ ଏଥର ଗୃହ ପ୍ରକ୍ରିୟାରେ କ୍ରମାଗତ ଭାବରେ ବାଧା ଉପୁଜିଛି। ଏହାର ସମାଧାନ ହୋଇପାରୁ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଗୃହରେ ଯେତିକି କାମ ଚାଲିଛି ସେତିକି ବିଗତ ଦୁଇ ବର୍ଷ ଅଧିକ ଫଳପ୍ରଦ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରକ୍ରିୟା ଚାଲିଥିଲା ଏବଂ କୋଭିଡ ସମୟରେ ମଧ୍ୟ ସାଂସଦମାନେ ସକ୍ରିୟ ସହଯୋଗ କରିଥିଲେ। ଏଥର ଗୃହ କେବଳ ୭୪ ଘଣ୍ଟା ୪୬ ମିନିଟ ଧରି ଚାଲିଛି। ଏହି ସମୟ ମଧ୍ୟରେ ଓବିସି ବିଲ୍ ସମେତ ମୋଟ ୨୦ ଟି ବିଲ୍ ଲୋକସଭାରେ ପାରିତ ହୋଇଥିଲା ଯାହା ସମସ୍ତ ପକ୍ଷ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ଅନ୍ୟପଟେ ଲୋକସଭାର କାର୍ଯ୍ୟ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ହିଁ ବିରୋଧୀ ପେଗାସସ୍ ଗୁଇନ୍ଦାଗିରି ରିପୋର୍ଟ କଥା ଉଠାଇ ସରକାରଙ୍କୁ ଘେରିଥିଲେ। ଏଥିସହ ଚାଷୀଙ୍କ ସମସ୍ୟା ଓ ଦରବୃଦ୍ଧି କଥା ମଧ୍ୟ ଉଠିଥିଲା। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା।