ମା ଧାମରାଇ ମନ୍ଦିରରେ ପୁଣିଥରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ହୁଣ୍ଡି ବାକ୍ସ ସହ ବହୁ ମୂଲ୍ୟବାନ ଅଳଙ୍କାର ଚୋରି

ଧାମରା: ଧାମରାର ଅଧିଷ୍ଠାତ୍ରୀ ଦେବୀ ମା ଧାମରାଇ ମନ୍ଦିରରେ ପୁଣି ଚୋରି । ବିଳମ୍ୱିତ ରାତିରେ ପୁଣି ଥରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ମୁଖ୍ୟ ଫାଟକ ଭାଙ୍ଗି ମନ୍ଦିରର ହୁଣ୍ଡି ବାକ୍ସ ସହ ବହୁ ମୂଲ୍ୟବାନ ଅଳଙ୍କାର ଚୋରି କରିନେଇଥିବା ଜଣାଯାଇଛି।

ଘଟଣାରୁ ପ୍ରକାଶ, ଆଜି ଭୋର ସମୟରେ ମନ୍ଦିରର ମହିଳା ପୂଜକ (ବେହୁରାଣୀ ) ମନ୍ଦିର ଖୋଲିବାକୁ ଆସି ମନ୍ଦିରର ମୁଖ୍ୟ ଫାଟକ ସହ ଭିତର କବାଟ ଭାଙ୍ଗିଥିବା ଦେଖି ମନ୍ଦିର କମିଟିର ସଦସ୍ୟମାନଙ୍କୁ ଖବର ଦେଇଥିଲେ। ପରେ ଏହି ଖବର ଦ୍ରୁତ ଗତିରେ ଅଂଚଳରେ ବ୍ୟାପି ଯିବାରୁ ପୁଲିସ ମନ୍ଦିର ପରିସରରେ ପହଞ୍ଚି ମନ୍ଦିରକୁ ସିଲ୍ କରିବା ସହିତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସୂଚନା ଦେଇଥିଲେ। ତେବେ ପୁଲିସର ଅନୁସନ୍ଧାନ ବେଳେ ଚୋରି ସମୟରେ ଚୋର ଦେହରୁ କୌଣସି ଉପାୟରେ ପ୍ରଚୁର ରକ୍ତସ୍ରାବ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଥିବା ବେଳେ ମନ୍ଦିର ବେଢାରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଆଜି ମା ଧାମରାଇଙ୍କ ସମସ୍ତ ରୀତିନୀତି ବନ୍ଦ ଥିବା ବେଳେ ଶ୍ରଦ୍ଧାଳୁ ଓ ଭକ୍ତ ମାଙ୍କ ଦର୍ଶନ ନ ପାଇ ଫେରି ଯାଇଥିଲେ।

ଏଠାରେ ସୂଚନା ଥାଉକି ଏହି ମନ୍ଦିରରୁ ୨୦୧୯ ମସିହା ଡିସେମ୍ବର ମାସରେ ବିପୁଳ ପରିମାଣରେ ସୁନା ରୁପା ଓ ହୁଣ୍ଡି ବାକ୍ସରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲେ ମଧ୍ୟ ପୁଲିସ ଚୋରକୁ ଧରିବା ପାଇଁ ସକ୍ଷମ ହୋଇ ପାରି ନ ଥିଲା।

Related Posts