ଅଷ୍ଟ୍ରେଲିଆର ସିଡ୍‌ନିରେ ଭାରତୀୟ ଛାତ୍ରଙ୍କୁ ଛୁରା ମାଡ଼: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗିରଫ

ଲକ୍ଷ୍ନୌ: ଅଷ୍ଟ୍ରେଲିଆର ସିଡ୍‌ନିରେ ଜଣେ ଭାରତୀୟ ଛାତ୍ରକୁ ଆକ୍ରମଣ । ଗତ ସପ୍ତାହରେ ଏହି ଘଟଣା ଘଟିଥିବା ବେଳେ, ଅଭିଯୁକ୍ତ ଉକ୍ତ ଛାତ୍ରକୁ ୧୧ ଥର ଛୁରି ଭୂଷିଥିଲ । ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା ଆଗ୍ରା ନିବାସୀ ଜଣେ ଭାରତୀୟ ଛାତ୍ର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଏହା ବର୍ଣ୍ଣବୈଷମ୍ୟ ଆକ୍ରମଣ ବୋଲି ଛାତ୍ରଙ୍କର ପରିବାର ଲୋକେ କହିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ସିଡ୍‌ନିସ୍ଥିତି ‘ୟୁନିଭର୍ସିଟି ଅଫ୍‌ ନିଉ ସାଉଥ୍‌‌ ୱେଲ୍‌ଜ୍‌’ସ୍ଥିତ ବିଶ୍ବବିଦ୍ୟାଳୟରେ ‘ପିଏଚ୍‌ଡି’ କରୁଥିବା ୨୮ ବର୍ଷିୟ ଶୁଭମ୍‌ ଗର୍ଗଙ୍କୁ ଅକ୍ଟୋବର ୬ ତାରିଖ ଦିନ ଆକ୍ରମଣ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ‘ଆଇଆଇଟି-ମାଡ୍ରାସ୍‌’ରୁ ସ୍ନାତକ ହାସଲ କରିଥିବା ଶୁଭମ ସେପ୍ଟେମ୍ବର ପହିଲାରେ ଅଷ୍ଟ୍ରେଲିଆ ଯାଇଥିଲେ।

ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ତାଙ୍କର ପିତାମାତା ଅଷ୍ଟ୍ରେଲିଆ ଯିବା ନିମନ୍ତେ ଭିସା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ, ଏଯାବତ୍‌ ଭିସା ପାଇ ନାହାନ୍ତି।

ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୧୦.୩୦ରେ ରାସ୍ତାରେ ଯାଉଥିବା ବେଳେ ଉକ୍ତ ଲୋକଟି ତାଙ୍କ ପାଖକୁ ଆସିଥିଲେ। ସେ ତାଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ। ସେ ମନା କରିବାରୁ ଆକ୍ରମଣକାରୀ ତାଙ୍କୁ ବହୁବାର ଛୁରି ଭୁସି ଘଟଣାସ୍ଥଳରୁ ପଳାଇଯାଥିଲେ।

ଶୁଭମ୍‌ଙ୍କ ମୁହଁ, ଛାତି ଓ ପେଟରେ ଏକାଧିକ କ୍ଷତ ହୋଇଛି। କୁହାଯାଉଛି, ନିକଟରେ ଥିବା ଗୋଟାଏ ଘରକୁ ଯାଇ ସାହାଯ୍ୟ ଲୋଡ଼ିବା ପରେ ତାଙ୍କୁ ଡାକ୍ତରଖାନାକକୁ ନିଆଯାଇଥିଲା।

ଏହି ମାମଲାରେ, ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ୨୭ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

Related Posts