ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିନକୁ ଦିନ ଦୂଷିତ ହେବାରେ ଲାଗିଛି ରାଜ୍ୟର ବଡ ବଡ ନଦୀର ଜଳ । ବିଶେଷ କରି ରାଜ୍ୟର ଜୀବନ ରେଖା କୁହାଯାଉଥିବା ମହାନଦୀ ଓ ବ୍ରାହ୍ମଣୀ ନଦୀର ଜଳ ଅଧିକ ପ୍ରଦୂଷିତ ହୋଇଛି । ରାଜ୍ୟର ୧୧ଟି ମୁଖ୍ୟ ନଦୀର ପାଣିକୁ ବିଭିନ୍ନ ସ୍ଥାନରେ ପରୀକ୍ଷା କରାଯିବା ପରେ ଏହି ତଥ୍ୟ ପ୍ରକାଶ ପାଇଥିବା କହିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍ ।ତେବେ ସହରାଞ୍ଚଳର ବର୍ଜ୍ୟବସ୍ତୁ ନିଷ୍କାସନ ଏହି ପ୍ରଦୂଷଣର ମୁଖ୍ୟ କାରଣ ବୋଲି ମନ୍ତ୍ରୀ କହିଛନ୍ତି।

ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍ କହିଛନ୍ତି ଯେ, ରାଜ୍ୟରେ ପ୍ରବାହିତ ଅଧିକାଂଶ ନଦୀର ଜଳକୁ ନିୟମିତ ଭାବେ ପରୀକ୍ଷଣ କରାଯାଉଛି ।ତେବେ ୨୦୨୧ ଓ ୨୦୨୨ ବର୍ଷରେ ,ହାଇଥିବା ପରୀକ୍ଷା ରିପୋର୍ଟ ଅନୁଯାୟୀ, ମହାନଦୀ ଓ ବ୍ରାହ୍ମଣୀ ନଦୀର ଜଳରେ ବିଓଡି ଓ ଟିସି ପରିମାଣ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ଥିବା ଜଣାପଡିଛି ଅର୍ଥାତ୍ ଏହି ଦୁଇ ନଦୀର ଜଳ ଅଧିକ ପ୍ରଦୂଷିତ । ଏହା ମୁଖ୍ୟତଃ ସହରାଞ୍ଚଳରୁ ନିଷ୍କାସିତ ବର୍ଜ୍ୟବସ୍ତୁ ଯୋଗୁଁ ଘଟୁଥିବା କହିଛନ୍ତି ମନ୍ତ୍ରୀ ଅମାତ୍ ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନଦୀଜଳର ପ୍ରଦୂଷଣ ସମ୍ପର୍କରେ କ୍ରମାଗତ ଭାବେ ସମ୍ପୃକ୍ତ ପୌରାଞ୍ଚଳ ଅଧିକାରୀ ମାନଙ୍କୁ ଅବଗତ କରାଇ ନଦୀଜଳର ପ୍ରଦୂଷଣ ନିରାକରଣ ପାଇଁ ବିହିତ ପଦକ୍ଷେପ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହାସହ ସମ୍ପୃକ୍ତ ଜିଳ୍ଲାଧିକାରୀ, ରାଜ୍ୟ ଗୃହ ଓ ଉନ୍ନୟନ ବିଭାଗ , ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ, ରାଜ୍ୟ ଜଳଯୋଗାଣ ଓ ପରିମଳ ପରିଷଦକୁ ମଧ୍ୟ ପଦେକ୍ଷପ ନେବାକୁ ଅନୁରୋଧ କରାଯାଇଥାଏ ବୋଲି ମନ୍ତ୍ରୀ ବିଧାନସଭାରେ କହିିଛନ୍ତି ।