ମାହାଙ୍ଗା ଗଣହତ୍ୟା ଘଟଣା: ଅଭିଯୁକ୍ତ ବଖାଣିଲା ସେକାଳ ରାତିର କଥା…

ଭୁବନେଶ୍ବର: ମାହାଙ୍ଗା ଗଣହତ୍ୟା ଘଟଣା ଏବେ ସମଗ୍ର ରାଜ୍ୟ ବାସୀଙ୍କୁ ସ୍ତବ୍ଧ କରିଦେଇଛି । ସାମାନ୍ୟ ଜମିଜମା ବିବାଦକୁ ନେଇ କିପରି ଭାଇ ଭାଇର ପାରିବାରକୁ ଛାରଖାର କରିଦେଲା । ସବୁଆଡେ ଏବେ ସେହି ଚର୍ଚ୍ଚା । ତେବେ ଅଭିଯୁକ୍ତ ନିଜେ ଏହି ଜଘନ୍ୟ ହତ୍ୟାକାଣ୍ଡ ଏକା ଘଟାଇଥିବା ଦାବି କରି ଆସୁଥିବା ବେଳେ, ଏହି ଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ରାଗରେ ମଣିଷ କଣ କରିପାରେ ସେ ନିଜେ ବି ଜାଣିପାରେନି । ସେଦିନ ରାତିରେ କ’ଣ ଘଟିଥିଲା ବଡଭାଇର ପରିବାରକୁ ମାରିବା ସମୟରେ ଏକ ଘଟଣା ସମ୍ପର୍କରେ ଅଭିଯୁକ୍ତ ଶିବପ୍ରସାଦ ସାହୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ଆଗରେ ସ୍ୱୀକାର କରିଛନ୍ତି । ସମସ୍ତେ ମରିଯିବା ପରେ ସେ ଜଣ ଜଣଙ୍କର ହାତରେ ଓ ଗୋଡରେ ଥିବା ଶିରାକୁ କାଟିପକାଇଥିଲେ । ଶିବପ୍ରସାଦ ଜାଣିଥିଲେ ଯେ ଶିରା କାଟିଲେ ଆଉ ବଞ୍ଚିବାର ସମ୍ଭାବନା ନାହିଁ । କାରଣ ସେଇବାଟରେ ଶରୀରର ସମସ୍ତ ରକ୍ତ ବାହାରିଯାଏ । ଏବଂ ଶିବପ୍ରସାଦ ନିଶ୍ଚିତ କରିବାକୁ ଚାହୁଁଥିଲେ ଯେ, କେହି ଆଉ ଯେମିତି ନ ବଞ୍ଚନ୍ତି ।

ଶିବ ପ୍ରସାଦ ସାହୁ ପୋଲିସ ଅଧିକାରୀଙ୍କୁ ପୂରା ଘଟଣା ବିଷୟରେ ସ୍ପଷ୍ଟ କରିଛନ୍ତି । ସେଦିନ ରାତି ପ୍ରାୟ ଦେଢଟାରେ ଶିବପ୍ରସାଦଙ୍କ ପତ୍ନୀ ଟଏଲେଟ ଯିବାକୁ କହିଥିଲେ । କିନ୍ତୁ ଟଏଲଟେକୁ ତାଲା ଲଗାଇଦେଇଥିଲେ ବଡଭାଇ ଅଲେଖ ସାହୁ । ଘରେ ଗୋଟିଏ ଟଏଲେଟ ଥିଲା ଏବଂ ଅଲେଖ ପ୍ରାୟ ଟଏଲେଟକୁ ବନ୍ଦ କରିଦେଉଥିଲେ । ସାନଭାଇ ଶିବପ୍ରସାଦ ଟଏଲେଟ ଖୋଲିବାକୁ କହିଥିଲେ । କୁଆଡେ ତାଙ୍କ ଭାଉଜ ନିଦରୁ କାହିଁକି ଉଠାଉଛ, ଆମେ ତୁମର କଣ ସିକ୍ୟୁରିଟି ଗାର୍ଡ ବୋଲି କହି ବିରକ୍ତ ହୋଇଥିଲେ । ଏଇଥିରୁ କଥା ଆଗକୁ ବଢିଥିଲା । ଶିବପ୍ରସାଦ ପୋଲିସକୁ କହିଛନ୍ତି, ଏହି ଘଟଣା ପରେ ସେ କିଛି ସମୟ ନିଜ ରୁମ୍କୁ ଯାଇ ବସିଥିଲେ । ଏହାପରେ କଟୁରୀ ଧରି ଆଗ ଭାଉଜଙ୍କୁ ଆକ୍ରମଣ କରିଥିଲେ ।

କୁଆଡେ ଗୋଟିଏ ଚୋଟରେ ଭାଉଜ ତଳେ ପଡିଯାଇଥିଲେ । ଏହା ପରେ ଶିବପ୍ରସାଦ ବଡଭାଇ ଅଲେଖସାହୁଙ୍କୁ ଆକ୍ରମଣ କରିଥିଲେ । ଅଲେଖ ମଧ୍ୟ ଶିବପ୍ରସାଦଙ୍କ ଚୋଟକୁ ସହିପାରିନଥିଲେ । ଏହାପରେ ଦୁଇ ପୁତୁରା ଜଣେ ଝିଆରୀ କାନ୍ଦି କାନ୍ଦି ତାଙ୍କୁ ଛାଡିଦେବାକୁ ନେହୁରା ହୋଇଥିଲେ । କିନ୍ତୁ, ଆଉ ଛାଡିବା ମୁଡରେ ନଥିଲେ ଶିବପ୍ରସାଦ । ମାରିବା ପରେ ସମସ୍ତଙ୍କ ହାତ ଓ ଗୋଡର ଶିରାକୁ କାଟିପକାଇଥିଲେ । ଏହି ବର୍ବର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବପ୍ରସାଦକୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ତଦନ୍ତ ଆଗକୁ ବଢିବା ସହ ନୂଆ ନୂଆ ତଥ୍ୟ ପୋଲିସ ହାତକୁ ଆସିବାରେ ଲାଗିଛି । କେବଳ ଜଣେ ବ୍ୟକ୍ତି ଏକୁଟିଆ କେମିତି ୫ ଜଣଙ୍କୁ ହତ୍ୟା କରିପାରିବ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଆବଶ୍ୟକ ପଡିଲେ କ୍ରାଇମ୍ ସିନ୍ ରିକ୍ରିଏସନ ହୋଇପାରେ ପୋଲିସ । ଏହି ଘଟଣା ଏବେ ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଦେଇଛି ।

Related Posts