ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦବୀ ପୂରଣ । ଦୀର୍ଘ ଦୁଇ ବର୍ଷ ହେଲା ଖାଲି ପଡ଼ିଥିବା ପଦବୀ ପୂରଣ ହେବ । ଏନେଇ ମହା ବିକାଶ ଅଘାଡି ପକ୍ଷରୁ ପ୍ରାର୍ଥୀ ନାଁ ଘୋଷଣା ପାଇଛି । ବିଜେପି ବିଧାୟକ ରାହୁଲ ନାରଓ୍ୱେକରଙ୍କ ବିରୋଧରେ ଶିବସେନା ବିଧାୟକ ରାଜନୀ ସାଲଭି ମଇଦାନକୁ ଓହ୍ଲାଇଛନ୍ତି । ଉଭୟ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ତେବେ ରବିବାର ଅର୍ଥାତ ଜୁଲାଇ ୩ ତାରିଖରେ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ନିର୍ବାଚନକୁ ନେଇ ମହା ବିକାଶ ଅଘାଡିର ପ୍ରଶ୍ନ

ମହାରାଷ୍ଟ୍ରରେ ବାଚସ୍ପତି ପଦ ଦୁଇ ବର୍ଷ ହେଲା ଖାଲି ଅଛି । ତେବେ ନିର୍ବାଚନକୁ ନେଇ ମହାବିକାଶ ଅଘାଡି ପ୍ରଶ୍ନ ଉଠାଇଛି । ଏମବିଏର କହିବାନୁସାରେ, ମାମଲା ସୁପ୍ରିମକୋର୍ଟରେ ଲମ୍ବିତ ଅଛି । ଏହା ସତ୍ତ୍ୱେ ବାଚସ୍ପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ହୋଇଛି ।

ସୂଚନାଯୋଗ୍ୟ, ପ୍ରାୟ ଦୁଇ ବର୍ଷ ହେଲା ମହାରାଷ୍ଟ୍ରରେ ବାଚସ୍ପତି ପଦବୀ ଖାଲି ଅଛି । ପୂର୍ବରୁ ନାନା ପଟୋଲ ବାଚସ୍ପତି ଥିଲେ । ସେ ଇସ୍ତଫା ଦେଲା ପରେ ଆଉ ପଦବୀ ପୂରଣ ହୋଇନାହିଁ ।

ସିନ୍ଦେଙ୍କୁ ଦଳରୁ ବହିସ୍କାର

ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପି ସହ ମିଶି ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କୁ ଶିବସେନା ସଦସ୍ୟ ପଦରୁ ବହିସ୍କାର କରିଛନ୍ତି ଉଦ୍ଧବ ଠାକରେ। ଏନେଇ ଦଳୀୟ ଅଫିସ ପକ୍ଷରୁ ଚିଠି ଜାରି କରି କୁହାଯାଇଛି।