ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ବୟାନକୁ ନେଇ ବିବାଦ । ଛତ୍ରପତି ଶିବାଜୀ ମହାରାଜଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟପାଳ କୋଶିଆରୀ।ବର୍ତ୍ତମାନ ସମୟରେ ଛତ୍ରପତି ଶିବାଜୀ ମହାରାଜ ଏକ ପୁରୁଣା ଆଦର୍ଶ, ନୀତିନ ଗଡକରୀଙ୍କୁ ରାଜ୍ୟର ନୂତନ ଆଦର୍ଶ ବୋଲି କହିଛନ୍ତି କୋଶିଆରୀ । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ସହ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରତିବାଦ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।
କୋଶିଆରୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ‘ଯଦି ଆପଣଙ୍କୁ କେହି ନିଜର ଆଦର୍ଶ କିଏ ବୋଲି ପ୍ରଶ୍ନ କରେ, ତେବେ କେଉଁଠାକୁ ଯିବାର ଆବଶ୍ୟକତା ନାହିଁ । ମହାରାଷ୍ଟ୍ରରେ ହିଁ ଆପଣଙ୍କୁ ଆପଣଙ୍କ ଆଦର୍ଶ ମିଳି ପାରିବେ । ମହାରାଜ ଛତ୍ରପତି ଶିବାଜୀ ବର୍ତ୍ତମାନ ସମୟ ପାଇଁ ଏକ ପୁରୁଣା ଆଦର୍ଶ । ବର୍ତ୍ତମାନ ସମୟରେ ନୀତିନ ଗଡକରୀଙ୍କ ଭଳି ବ୍ୟକ୍ତିଙ୍କୁ ନୂଆ ଆଦର୍ଶ ଭାବେ ଚୟନ କରାଯାଇପାରେ ।’
ତେବେ କୋଶିଆରୀଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସେ ନିଜର କିଛି ବୟାନ ପାଇଁ ବିବାଦ ଘେରକୁ ଆସିଛନ୍ତି । ଗୁଜୁରାଟୀ ଓ ରାଜସ୍ଥାନୀଙ୍କ କାରଣରୁ ମୁମ୍ବାଇ ସହର ବିତ୍ତଶାଳୀ ହୋଇଛି । ସେମାନେ ମୁମ୍ବାଇ ଛାଡି ଫେରିଗଲେ ସହର ଆର୍ଥିକ ଭାବେ ଦୁର୍ବଳ ହୋଇପଡିବ ବୋଲି ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିଲେ କୋଶିଆରୀ । ଏପରି ମନ୍ତବ୍ୟକୁ ଶିବସେନା ସମେତ ଅନେକ ରାଜନୈତିକ ଓ ଅଣରାଜନୈତିକ ଦଳ ନିନ୍ଦା କରିବା ସହ ରାଜ୍ୟପାଳଙ୍କ ବିରୋଧରେ ପ୍ରତିବାଦ ମଧ୍ୟ କରିଥିଲେ । ଏବେ ପୁଣି ମହାନ ମରାଠା ଶାସକ ଛତ୍ରପତି ଶିବାଜୀଙ୍କ ନାମରେ ଏପରି ବୟାନ ଦେବା ପରେ ମହାରାଷ୍ଟ୍ରର କିଛି ସ୍ଥାନରେ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି ।
