ପଦ ଛାଡ଼ିବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ!, ଦାୟିତ୍ବରୁ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ କଲେ ନିବେଦନ

ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ପଦ ଛାଡ଼ିବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ସମସ୍ତ ରାଜନୈତିକ ଦାୟିତ୍ବରୁ ତାଙ୍କୁ ମୁକ୍ତ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଇଚ୍ଛାବ୍ୟକ୍ତ କରିଛନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । କୋଶିୟାରୀ କହିଛନ୍ତି ଯେ, “ମତେ ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛି ।”

ଏହି ସୂଚନା ଆଜି ମହାରାଷ୍ଟ୍ର ରାଜଭବନ ପକ୍ଷରୁ ମଧ୍ୟ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି । ରାଜନୈତିକ ଦାୟିତ୍ବରୁ ମୁକ୍ତ ହେବା ପରେ ରାଜ୍ୟପାଳ କୋଶିୟାରୀ ତାଙ୍କ ଅବଶିଷ୍ଟ ଜୀବନ ଅଧ୍ୟୟନ ଓ ଲେଖାଲେଖିରେ ଅତିବାହିତ କରିବାର ଇଚ୍ଛା ରଖିଥିବା ରାଜଭବନ କହିଛି । ନିକଟରେ ଏକାଧିକ ବିବାଦୀୟ ମନ୍ତବ୍ୟ ପାଇଁ ମହାରାଷ୍ଟ୍ରବାସୀଙ୍କ ଦ୍ବାରା ସମାଲୋଚିତ ହୋଇଥିବା ରାଜ୍ୟପାଳ କୋଶିୟାରୀ ଗଣମାଧ୍ୟମକୁ ଭାବପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି । ମହାରାଷ୍ଟ୍ର ପରି ସନ୍ଥ ସମାଜ ଓ ସମାଜ ସଂସ୍କାରଙ୍କ ମହାନ ରାଜ୍ୟରେ ରାଜ୍ୟପାଳ ଭାବେ ସାମ୍ବିଧାନିକ ଦାୟିତ୍ବରେ ଅବସ୍ଥାପିତ ହେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି କୋଶିୟାରୀ କହିଥିଲେ ।

ରାଜଭବନର ବିଜ୍ଞପ୍ତିରେ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ଠାରୁ ଢେର ସାରା ଶ୍ରଦ୍ଧା ଓ ଭଲପାଇବା ମଳିଛି । ସେହିପରି ଗତ 3ବର୍ଷ ମଧ୍ୟରେ ଅନୁରୂପ ଭାବେ ମହାରାଷ୍ଟ୍ରର ଜନତା ମଧ୍ୟ ଯେଉଁ ଶ୍ରଦ୍ଧା ଦେଇଛନ୍ତି, ତାହା ଭୁଲିବା ସମ୍ଭବ ନୁହେଁ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ମୁଁ ମୋ ଇଚ୍ଛା ସମ୍ପର୍କରେ ତାଙ୍କୁ ଅବଗତ କରିଥିଲି । ମୁଁ ମୋର ଅବଶିଷ୍ଟ ଜୀବନ ରାଜନୈତିକ ଦାୟିତ୍ବରୁ ଦୂରରେ ରହି ଅଧ୍ୟୟନ ଓ ଲେଖାଲେଖିରେ ଅତିବାହିତ କରିବାକୁ ଚାହୁଁଛି । ମହାରାଷ୍ଟ୍ର ପରି ମହାନ ରାଜ୍ୟରେ ରାଜ୍ୟପାଳ ଭାବେ କାର୍ଯ୍ୟ କରିବାର ଅବସର ପାଇବା ମୋ ପାଇଁ ସୌଭାଗ୍ୟର ବିଷୟ ।”

୨୦୧୯ ସେପ୍ଟେମ୍ବରରେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ କୋଶିୟାରୀଙ୍କୁ ନିଯୁକ୍ତି ମିଳିଥିଲା । ତେବେ ନିଜର ମାତ୍ର ତିନି ବର୍ଷ କାର୍ଯ୍ୟକାଳରେ ଏକାଧିକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ପରିସରକୁ ସେ ଆସିଥିଲେ । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଶ୍ରେଷ୍ଠ ମରାଠା ଶାସକ ଛତ୍ରପତି ଶିବାଜୀ ମହାରାଜଙ୍କୁ ପୁରୁଣା ଆଦର୍ଶ (ଓଲ୍ଡ ଆଇକନ) କହି ମହାରାଷ୍ଟ୍ରବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ କୋଶିୟାରୀ । ରାଜ୍ୟପାଳଙ୍କୁ ହଟାଇବା ପାଇଁ ଦାବି ଉଠିବା ସହ ଏକାଧିକ ରାଜନୈତିକ ସଂଗଠନ ଏହାକୁ ମରାଠା ଜାତି ପ୍ରତି ରାଜ୍ୟପାଳଙ୍କ ଅପମାନଜନକ ମନ୍ତବ୍ୟ ବୋଲି କହିଥିଲେ ।

Related Posts