ଅକ୍ଟୋବର 21ରେ ମହାରାଷ୍ଟ୍ର ଓ ହରିୟାଣା ଭୋଟ୍

ନିର୍ବାଚନ କମିସନଙ୍କ ଘୋଷଣା । ଅକ୍ଟୋବର 21ରେ ହେବ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ । 24ରେ ଭୋଟ ଗଣତି । ଅକ୍ଟୋବର 4ରେ ସରିବ ନାମାଙ୍କନପତ୍ର ଦାଖଲ । ଲୋକସଭା ନିର୍ବାଚନ ପରେ ଏହା ଚଳିତ ବର୍ଷର ପ୍ରଥମ ବିଧାନସଭା ନିର୍ବାଚନ ହେବ ।  ନଭେମ୍ଭର 2ରେ ହରିୟାଣା ଓ 9ରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ହରିୟାଣାରେ 90ଟି ଆସନ ପାଇଁ 1.82 କୋଟି ଭୋଟର ଓ ମହାରାଷ୍ଟ୍ରରେ 288 ଆସନରେ 8.9 ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ । ଏହା ସହ ଦେଶରେ 64ଟି ଆସନରେ ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ ସୁନୀଲ ଆରୋରା । ପୂର୍ବରୁ ବିଜେପି ହରିୟାଣାରେ ଏକାଧିକ ରାଲି କରିଥିବା ବେଳେ ବିରୋଧୀ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବାକୁ ରଣନୀତି ପ୍ରସ୍ତୁତ କରିଛି । 2014ରେ ମହାରାଷ୍ଟ୍ରରେ ବିଜେପି ଓ ତାର ସହଯୋଗୀ ଶିବସେନା ପୃଥକ ପୃଥକ ନିର୍ବାଚନ ଲଢ଼ିଥିଲେ । 288 ଆସନରୁ ବିଜେପି 122 ଓ ଶିବସେନା 63ଟି ଆସନରେ ବିଜୟୀ ହୋଇଥିଲେ । ସେହିପରି ବିରୋଧୀ କଂଗ୍ରେସ ଓ ତାର ସହଯୋଗୀ ଦଳ NCP ବି 2014ରେ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ । କଂଗ୍ରେସକୁ 42ଟି ଆସନ ମିଳିଥିବା ବେଳେ ଏନ୍‌ସିପିକୁ ମିଳିଥିଲା 41 ଆସନ ।

Related Posts