
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଚାଲିଥିବା ମହାନାଟକ ମଧ୍ୟରେ ଶିବସେନା କାହାର ନେଇ କନ୍ଦଳ ମୁଣ୍ଡ ଟେକିଛି । ତେବେ ଏହି ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହା ସୁପ୍ରିମକୋର୍ଟଙ୍କ କ୍ଲାଇମାକ୍ସ ଶୁଣାଣି ହେବ ବୋଲି କୁହାଯାଉଛି । କାରଣ ଶିବସେନା ଉଦ୍ଧବ ଠାକରେଙ୍କ ପାଖରେ ରହିବ ନା ଏକନାଥ ସିନ୍ଦେ ଏହାର ଦାବିଦାର ହେବେ ସେନେଇ ସୁପ୍ରିମକୋର୍ଟ ଶୁଣାଣି କରିବେ ।
ତେବେ ଉଦ୍ଧବ ଓ ତାଙ୍କ ଗୋଷ୍ଠୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ମାମଲା ହୋଇଥିଲା । ଗୋଟିଏ ୧୬ ବିଧାୟକଙ୍କ ଅଯୋଗ୍ୟତା ବାବଦରେ ଥିବା ବେଳେ ଅନ୍ୟଟି ଶୁକ୍ରବାର ଦାଖଲ ହୋଇଥିଲା । ଯେଉଁଥିରେ ରାଜ୍ୟପାଳ ଏକନାଥ ସିନ୍ଦେଙ୍କୁ ସରକାର ଗଠନ ନେଇ ଡାକିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ ଦିଆଯାଇଥିଲା । ଆଜି ଏହି ଦୁଇ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ।
୫୩ ବିଧାୟକଙ୍କୁ ନୋଟିସ୍
ମହାରାଷ୍ଟ୍ର ବିଧାନସଭା ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ବିଧାନସଭାର ପ୍ରଧାନ ସଚିବ ରାଜେନ୍ଦ୍ର ଭାଗବତ ଶିବସେନାର ୫୩ ଜଣ ବିଧାୟକ (ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀର ୪୦ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଗୋଷ୍ଠୀର ୧୩) ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଦଳ ବଦଳ ନିରୋଧ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାର କାରଣ ଦର୍ଶାଇବାକୁ ଏହି ନୋଟିସରେ ସେମାନଙ୍କୁ କୁହାଯାଇଛି । ଏକ ସପ୍ତାହ ଭିତରେ ନୋଟିସର ଉତ୍ତର ସହ ସବିଶେଷ ତଥ୍ୟ ବାଚସ୍ପତିଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ନୋଟିସରେ ଉଦ୍ଧବଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକ୍ରେଙ୍କ ନାମ ସ୍ଥାନ ପାଇନାହିଁ । ବିଧାନସଭାରେ ବର୍ତ୍ତମାନ ଶିବସେନାର ମୋଟ ୫୫ ଜଣ ବିଧାୟକ ଅଛନ୍ତି । ଜୁଲାଇ ୩ରେ ଅନୁଷ୍ଠିତ ବାଚସ୍ପତି ନିର୍ବାଚନ ଓ ଜୁଲାଇ ୪ରେ ଆସ୍ଥାଭୋଟ ବେଳେ ଉଭୟ ପକ୍ଷ ବିଧାୟକମାନଙ୍କୁ ହୁଇପ୍ ଜାରି କରିଥିଲେ । କିନ୍ତୁ କେହି କାହାରି ହୁଇପ୍କୁ ଗ୍ରହଣ କରିନଥିଲେ । ଯାହାଫଳରେ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।
ସୋମବାର ସୁପ୍ରିମ ଶୁଣାଣି
ସୋମବାର ସୁପ୍ରିମକୋର୍ଟରେ ମାମଲାର ଶୁଣାଣି କରାଯିବ । ଇତିମଧ୍ୟରେ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ ସୁପ୍ରିମକୋର୍ଟରେ ତାଙ୍କର ଉତ୍ତର ରଖିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସହ ସସ୍ପେଣ୍ଡ କରାଯିବା ଉଚିତ। ବିଧାୟକମାନେ ଦଳବଦଳ କରିଥିବାରୁ ସେମାନେ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ହେବାକୁ ଅଯୋଗ୍ୟ । ସେମାନେ ଦଳବଦଳ କରି ସାମ୍ବିଧାନିକ ପାପ କରିଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହୋଇଥିବା ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହ ହାତ ମିଳାଇଥିଲେ ।
ଜୁଲାଇ ୪ରେ ଆସ୍ଥା ଭୋଟ ପୂର୍ବରୁ ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ସଚେତକ ଭରତ ଗୋଗୱାଲେ ସବୁ ଶିବସେନା ବିଧାୟକଙ୍କୁ ଆସ୍ଥା ସପକ୍ଷରେ ଭୋଟ ଦେବାକୁ ହୁଇପ୍ ଜାରି କରିଥିଲେ । ଅନ୍ୟପକ୍ଷରେ ଉଦ୍ଧବ ଗୋଷ୍ଠୀର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ମଧ୍ୟ ସବୁ ବିଧାୟକଙ୍କୁ ହୁଇପ୍ ଜାରି କରି ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେବାକୁ ଆଦେଶ ଦେଇଥିଲେ । ତେବେ ଆସ୍ଥା ଭୋଟ ସପକ୍ଷରେ ୪୦ ଶିବସେନା ବିଧାୟକ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୧୫ ଭୋଟ ପଡିଥିଲା । ସେହିଦିନ ଗୋଗୱାଲେ ଆସ୍ଥା ଭୋଟ ବିପକ୍ଷରେ ଭୋଟ ଦେଇଥିବା ୧୪ ଜଣ ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବାଚସ୍ପତି ରାହୁଲ ନରୱେକରଙ୍କ ନିକଟରେ ଫେରାଦ ହୋଇଥିଲେ।