” ଗ୍ରାମାଂଚଳରେ ଷ୍ଟ୍ରିଟ୍‍ ଲାଇଟ୍ ଟେଣ୍ଡରରେ ବଡ ଧରଣର ଚଞ୍ଚକତା ” : କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଷ୍ଟ୍ରିଟ୍ ଲାଇଟ୍ କିଣାରେ ଚଞ୍ଚକତା। ଆଗକୁ ପଂଚାୟତ ନିର୍ବାଚନ ଆସୁଥିବା ବେଳେ ରାଜ୍ୟର ଗ୍ରାମାଂଚଳରେ ପଞ୍ଚାୟତିରାଜ ବିଭାଗ ଅଧିନସ୍ଥ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ହୋଇଥିବା ୧୫୦କୋଟି ଟଙ୍କାର ଟେଣ୍ଡର ସମ୍ପୂର୍ଣ୍ଣ ଭାବେ ଫିକ୍ସି ହୋଇଛି ଓ କିଛି ନିର୍ଦ୍ଦିଷ୍ଟ କମ୍ପାନୀକୁ ସୁହାଇବା ପାଇଁ ରାଜ୍ୟ ସରକାର। କଂଗ୍ରେସ ପକ୍ଷରୁ ଏଭଳି ଅଭିଯୋଗ କରାଯାଇଛି । ଟେଣ୍ଡର ଦସ୍ତାବିଜ୍‌ରୁ ଏଥିରେ ଦୁର୍ନିତୀ ଓ ପିୟାପ୍ରିତିର ସ୍ୱଷ୍ଟ ସୁଚନା ମିଳୁଛି ବୋଲି ଆଜି କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି । ଦଳର ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ, ପଂଚାୟତିରାଜ ବିଭାଗରେ ଷ୍ଟ୍ରିଟ୍ ଲାଇଟ୍ ଟେଣ୍ଡରରେ ବ୍ୟାପକ ଅନିୟମିତତା ଓ ଚଂଚକତା ହୋଇଛି। ସ୍ୱଛ ଶାସନର ଆବରଣ ତଳେ ରାଜ୍ୟର ବିଜେଡି ସରକାର କିପରି ଦୁର୍ନୀତି ଓ ପ୍ରିୟାପ୍ରୀତିରେ ଲିପ୍ତ ଅଛନ୍ତି ତା’ର ଆଉ ଏକ ନମୁନା ହେଉଛି ଗତ ଏପ୍ରିଲ ୪ ତାରିଖରେ ବିଭାଗ ଅଧିନସ୍ଥ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଷ୍ଟିଟ୍ ଲାଇଟ୍ ଲଗାଇବା ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର। ଏହି ଟେଣ୍ଡର ପ୍ରକ୍ରିୟା ଓ ଟେଣ୍ଡର ଦସ୍ତାବିଜରୁ ଏଥିରେ ଦୁର୍ନୀତି ହୋଇଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି। ପଂଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟର ୨୯ଟି ଜିଲ୍ଲାରେ ଏଲଇଡି ଲାଇଟ ଲଗାଇବା ନେଇ ୧୫୦ କୋଟି ଟଙ୍କାର ଟେଣ୍ଡରରେ କେତେକ ନିର୍ଦ୍ଦିଷ୍ଟ କମ୍ପାନୀକୁ ସହାଇଲା ଭଳି ବ୍ୟବସ୍ଥା କରାଯାଇଛି । ୨୯ଟି ଜିଲ୍ଲାକୁ କିଛି ନିର୍ଦ୍ଦିଷ୍ଟ ସଂସ୍ଥା ଓ ବ୍ୟକ୍ତିବିଶେଷ ମଧ୍ୟରେ ବାଣ୍ଟି ଦେବାକୁ ଏଭଳି ମସୁଧା କରାଯାଇଛି।
ଏଥି ସହିତ ଯେଉଁ କାମ କମ୍ ଖର୍ଚ୍ଚରେ ହୋଇ ପାରିଥାନ୍ତା ତା ପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ଏହି ଟେଣ୍ଡର ପ୍ରକ୍ରିୟାରେ ସର୍ତ୍ତ ଧାର୍ଯ୍ୟ କରାଯାଇଛି । ନୂଆ ଟେକ୍ନୋଲୋଜିର ଉପଯୋଗ ଉପରେ ଗୁରୁତ୍ୱ ଦିଆ ନ ଯାଇ ୯/୧୦ ବର୍ଷ ତଳେ ମିଳୁଥବା ନିମ୍ନମାନର ଓ ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଏଲଇଡି ଲାଇଟ ଯୋଗାଣ ନେଇ ଏହି ଟେଣ୍ଡର ପ୍ରସ୍ତୁତ କରାଯାଇଛି ।

କଂଗ୍ରେସ ଅଭିଯୋଗ କରିଛିି ଯେ, ଟେଣ୍ଡର ବିଜ୍ଞପ୍ତିରେ ଏଲଇଡି ଲାଇଟର ଗୁଣବତ୍ତା ସହ ସାଲିସ୍ କରାଯାଇଛି। ଟେଣ୍ଡର ବିଜ୍ଞପ୍ତିରେ ୭୧୦୦ ଲୁମେନ ପାଇଁ ସର୍ବାଧିକ ୮୦ ୱାଟ୍ ଏଲଇଡି ଲାଇଟ ଧାର୍ଯ୍ୟ କରାଯାଇଛି । ଏହାର ଅର୍ଥ ପ୍ରତି ୱାଟ୍ ପିଛା ୯୦ ଲୁମେନ ବ୍ୟବହାର କରାଯାଇ ପାରିବ । ଏଭଳି କମ୍ ଲୁମେନ୍ ପ୍ରଦାନ କରୁଥିବା ଉତ୍ପାଦ ୯ରୁ ୧୦ ବର୍ଷ ତଳେ ବ୍ୟବହାର କରାଯାଉଥିଲା । ଏବେ ଦେଶର ସମସ୍ତ ପ୍ରମୁଖ କମ୍ପାନି ଯେଉଁ ଏଲଇଡି ଲାଇଟ ଉତ୍ପାଦନ କରୁଛନ୍ତି ସେଥିରେ ପ୍ରତି ୱାଟ୍ ପିଛା ଲୁମେନ୍ ହାର ୧୧୦ରୁ ୧୨୦ ରହୁଛି ।

ଏଭଳି ଉଚ୍ଚ ହାରର ଲୁମେନ ଥିବା ଏଲିଇଡି ଲାଇଟର ଗୁଣବତ୍ତା ମଧ୍ୟ ଉଚ୍ଚ ଓ ଆଲୋକିକରଣ କ୍ଷମତା ମଧ୍ୟ ଯଥେଷ୍ଟ ଅଧିକ । ଏପରି ନୂଆ ଟେକନୋଲୋଜିର ଏଲଇଡି ଷ୍ଟ୍ରିଟ୍ ଲାଇଟ ବ୍ୟବହାର ଦ୍ୱାରା ପ୍ରତି ଲାଇଟ ପିଛା ଘଣ୍ଟାକୁ ପ୍ରାୟ ୨୦ ୱାଟ ବିଦ୍ୟୁତ କମ୍ ଖର୍ଚ୍ଚ ହେବ, ମାତ୍ର ଏଥିପ୍ରତି ଅଣଦେଖା କରିବା ପଛର ମନ୍ଦ ଏଦ୍ଦେଶ୍ୟ ଅଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

ଟେଣ୍ଡର ପ୍ରକ୍ରିୟାରେ ଏହି ଚଞ୍ଚକତା ଯୋଗୁଁ ରାଜ୍ୟ ରାଜକୋଷରୁ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ଟଙ୍କା ବାଟ ମାରଣା କରିବାର ମସୁଧା କରାଯିବା ସହିତ ପ୍ରତି ବର୍ଷ ୫ କୋଟିରୁ ଉର୍ଦ୍ଧ୍ୱ ବିଦ୍ୟୁତ ଶୁକ୍ଲ ସରକାର ବହନ କରିବେ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ଟେଣ୍ଡର କାଗଜରେ ପ୍ରତି ୟୁନିଟଟ୍ୱା କ୍ଲଷ୍ଟର ପାଇଁ ୧ଲକ୍ଷ ୩୪ ହଜାର ୮ଶହ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ବଜାର ମୂଲ୍ୟ ଅନୁଯାୟୀ ଏହା ୧ ଲକ୍ଷ ଟଙ୍କାରୁ ମଧ୍ୟ କମ୍ ହେବ । ଅର୍ଥାତ ପ୍ରତି ୟୁନିଟ୍ ବା କ୍ଲଷ୍ଟର ପିଛା ୩୦ ରୁ ୪୦ ଶତାଂଶ ଅଧିକ ମୂଲ୍ୟ ଟେଣ୍ଡରରେ ଉଲ୍ଲେଖ ଅଛି । ଏ ବାବଦରେ ରାଜ୍ୟ ସରକାର କ୍ଷତି ସହିଲା ବେଳେ, ନେତା, ମନ୍ତ୍ରୀ ଓ ଅଫିସର ମାନଙ୍କର ପକେଟ୍‌କୁ ଗରମ କରିବାର ଏହା ଏକ ସୁଚିନ୍ତିତ ଯୋଜନା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହି ଟେଣ୍ଡର ବିଜ୍ଞପ୍ତିରେ ମଧ୍ୟ ଏକ ଆଶ୍ଚର୍ଯ୍ୟ ଜନକ କଥା ଦେଖିବାକୁ ମିଳିଛି । ମାତ୍ର ୫ଟି କମ୍ପାନି :- ବଜାଜ, ଫିଲିପ୍ସ, କ୍ରମ୍ପଟନ୍‌, ହାଭେଲ୍ସ, ସୂର୍ଯ୍ୟା ରୋଶନୀ ଏଲଇଡି ଲାଇଟ ଯୋଗଣ ପାଇଁ କେବଳ ଅନୁମୋଦନ କରାଯାଇଛି । ସମାନ ଗୁଣବତ୍ତା ଥିବା ଅନ୍ୟ କୈାଣସି ସଂସ୍ଥାର ଏଲିଇଡି ଲାଇଟ ଯୋଗାଣ ପାଇଁ କିଛି ସୁଯୋଗ ରଖାଯାଇ ନାହିଁ । ଟେଣ୍ଡରରେ ରହିଥିବା ସର୍ତ୍ତ ପୂରଣ କରିବାକୁ ସକ୍ଷମ ଥିବା ସର୍ବଭାରତୀୟ ସ୍ତରର ଅନ୍ୟ ବଡ଼ ବଡ଼ କମ୍ପାନ ଗୁଡିକୁ କାହିଁକି ଏଲଇଡି ଲାଇଟ ଯେଗାଣ ପାଇଁ ଅନୁମତି ଦିଆଯାଇ ନାହିଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି ସେ ଅଭିଯୋଗ କରିଛନ୍ତି ଯେ, ଏହି ୫ଟି କମ୍ପାନୀ ଭିତରୁ ସୂର୍ଯ୍ୟା ରୋଶନୀର ମାଲିକ ହେଉଛନ୍ତି ଜଣେ ବିଜେପି ଏମ୍‌.ପି । ଟେଣ୍ଡର ପାଇଁ ଏହି କମ୍ପାନୀକୁ ଯୋଗ୍ୟ କରାଯିବା ପଛର ରହସ୍ୟ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ଦ୍ଦିଷ୍ଟ ଭାବେ ସରକାର କଣ ପାଇଁ ୫ଟି କମ୍ପାନି ପ୍ରତି ଅନୁକମ୍ପା ଦେଖାଉଛନ୍ତି ତାହା ତଦନ୍ତ ସାପେକ୍ଷ ।

ସରକାର ସବୁ କଥାରେ ସ୍ୱଚ୍ଛ ଶାସନ କଥା କହୁଥିବା ବେଳେ ୧୫୦ କୋଟି ଟଙ୍କାର ଟେଣ୍ଡରରେ ଚଞ୍ଚକତା ତାଙ୍କର ସ୍ୱଚ୍ଛ ଶାସନକୁ ପଦାରେ ପକାଇଛି । ନିର୍ଦ୍ଦିଷ୍ଟ କମ୍ପାନିର ଏଲଇଡିରେ ଟେଣ୍ଡର ପ୍ରକ୍ରିୟା ସୀମିତ ନ ରଖି ସର୍ତ୍ତପୂରଣ କରୁଥିବା ସବୁ କମ୍ପାନିକୁ ସୁଯୋଗ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ । ଏଥି ସହିତ କମ୍ ଖର୍ଚ୍ଚରେ କିଭଳି ଉଚ୍ଚ ଗୁଣବତ୍ତାର ଏଲଇଡି ଲାଇଟ ଯୋଗାଣ ହୋଇ ପାରିବ ତାହା ସରକାର ସୁନିଶ୍ଚିତ କରିବା ଦରକାର ।

ଏଭଳି ସ୍ଥିତିରେ ଏଲଇଡି ଲାଇଟ ଟେଣ୍ଡର ରଦ୍ଦ କରାଯାଉ । କେତେକ କମ୍ପାନି ବା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥକୁ ନ ଦେଖି ଜନସାଧାରଣଙ୍କ ସ୍ୱାର୍ଥ ତଥା ସରକାରୀ ଅର୍ଥର ସୁରକ୍ଷା ପାଇଁ ଏଲଇଡି ଲାଇଟ ଯୋଗାଣ ସର୍ତ୍ତରେ ଆବଶ୍ୟକ ସଂଶୋଧନ କରି ସାନି ଟେଣ୍ଡର ନୋଟିସ୍ ଜାରିକରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

Related Posts