ସରକାରଙ୍କ ଭୁଲ ନୀତି ଯୋଗୁ ରାଜ୍ୟର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି : ପିସିସି ସଭାପତି ଶରତ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ। ସରକାରଙ୍କ ଭୁଲ ନୀତି ଯୋଗୁଁ ସାଧାରଣ ଲୋକେ ଆଜି ଅସୁବିଧା ଭୋଗୁଛନ୍ତି। ଏପରି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ। ରାଜ୍ୟର ବନ୍ୟା ସ୍ଥିତିକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ।ଏହାକୁ ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛନ୍ତି । ବନ୍ୟା ବେଳେ ରାଜ୍ୟ ସରକାର ପ୍ରତିଟି ଜୀବନ ମୂଲ୍ୟବାନ କହିଥିଲେ । ଯେପରି କାହାର ଜୀବନ ନଯାଏ ସେ ନେଇ ରାଜ୍ୟ ସରକାର ସତର୍କ ବୋଲି କହିଥିଲେ ମାତ୍ର ଏହି ବନ୍ୟାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ପିସିସି ସଭାପତି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଅନେକ ନଦୀ ବନ୍ଧ ମୁକୁଳା ପଡିଛି । ଯାହା ମରାମତି ଆବଶ୍ୟକ କରୁଛି। ଯଦି ମରାମତି ହୋଇଥାନ୍ତା ତାହେଲେ ହୁଏତ ଲୋକଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡିନଥାନ୍ତା। ଯେଉଁଥିପାଇଁ ଏବେ ବି ରାଜ୍ୟର ୧୦ ଲକ୍ଷ ଲୋକ ଜଳବନ୍ଦୀ ଘେରରେ ରହିଛନ୍ତି। ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚିପାରୁନି । ଦୀର୍ଘ ୨୨ ବର୍ଷ ହେବ କ୍ଷମତାରେ ରହିଛି ଏହି ସରକାର। ହେଲେ ଆବଶ୍ୟକ ମରାମତି ଯଦି କରିଥାନ୍ତେ ତାହାଲେ ଆଜି ଲୋକମାନେ ବନ୍ୟା ପାଇଁ ଦୁର୍ଦ୍ଦଶାରେ ପଡ଼ି ନଥାନ୍ତେ ବୋଲି ପିସିସି ସଭାପତି କହିଛନ୍ତି।

ବନ୍ୟା ପାଇଁ ଚାଷୀକୂଳ ବହୁ କ୍ଷତି ସହିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଦରକାର। ବିଶେଷଜ୍ଞ ସହ ଆଲୋଚନା କରାଯାଇ ସରକାର ସ୍ଥାୟୀ ସମାଧାନ ଦିଗରେ କାମ ହେବା ଦରକାର। ଏଥିସହିତ ରାଜ୍ୟ ସରକାର ଏ ନେଇ ସର୍ବ ଦଳୀୟ ବୈଠକ ଡାକି କାମ କରିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ପିସିସି ସଭାପତି ବାଲେଶ୍ୱର ସମେତ ରାଜ୍ୟର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟାସ୍ଥିତିର ସମୀକ୍ଷା କରିଥିଲେ।

Related Posts