ମେକ୍ ଇନ୍ ଓଡ଼ିଶା ନିବେଶକ ସମ୍ମିଳନୀ; ଦିଲ୍ଲୀରେ ୩୬ ରାଷ୍ଟ୍ରଦୂତ ଓ ୫୦ରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ମେକ୍ ଇନ୍ ଓଡ଼ିଶା ନିବେଶକ ସମ୍ମିଳନୀ । ଏହି ସମ୍ମିଳନୀ ପାଇଁ ପୁଞ୍ଜିନିବେଶ ପ୍ରସ୍ତାବ ଆକୃଷ୍ଟ କରିବା ଲାଗି ଶିଳ୍ପ ସଂଘ ଫିକି ସହଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଏକ ନିବେଶକ ସମ୍ମିଳନୀ ଓ ମେକ୍ ଇନ୍ ଓଡ଼ିଶା କର୍ଟେନ୍ ରେଜର୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ୩୬ଟି ଦେଶର ରାଷ୍ଟ୍ରଦୂତ ଓ ବିଭିନ୍ନ ଶିଳ୍ପସଂସ୍ଥାର ୫୦ରୁ ଅଧିକ ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଜାପାନ, ଦକ୍ଷିଣ କୋରିଆ, ଆମେରିକା, ୟୁଏଇ, କତାର, ଓମାନ, ବାହାରିନ, ସାଉଦି ଆରବ, ୟୁକେ, ଜର୍ମାନି, ଫ୍ରାନ୍ସ, ଇଟାଲି, ଲକ୍ସେମ୍ବର୍ଗ, ବେଲ୍‌ଜିୟମ୍, ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଆଦି ଦେଶର ରାଷ୍ଟ୍ରଦୂତମାନେ ଏହି ଆଲୋଚନାରେ ଭାଗ ନେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ଭାରତର ଅଭିବୃଦ୍ଧିଶୀଳ ରାଜ୍ୟ ଗୁଡ଼ିକ ମଧ୍ୟରେ ଅନ୍ୟତମ। ଓଡ଼ିଶା ନିରନ୍ତର ଭାବେ ଦେଢ଼ ଦଶନ୍ଧି ଧରି ତାହା ଜାତୀୟ ହାରଠାରୁ ଉଚ୍ଚ ହାରରେ ଆଗକୁ ବଢ଼ୁଛି। ଭୌଗୋଳିକ ଭାବେ ଗୁରୁତ୍ବପୂର୍ଣ୍ଣ ଉପସ୍ଥିତି ଓ ପ୍ରାକୃତିକ ସମ୍ବଳର ଉପଲବ୍ଧତା ଯୋଗୁଁ ପୂର୍ବ ଭାରତରେ ଓଡ଼ିଶା ଏକ ପ୍ରମୁଖ ଶିଳ୍ପ ସ୍ଥଳ ଭାବେ ଉଭା ହୋଇଛି ବୋଲି ନବୀନ କହିଛନ୍ତି। ସେ ଉପସ୍ଥିତ ଅତିଥି ଓ ନିବେଶକମାନଙ୍କୁ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଛନ୍ତି। ଏଥିରେ ସହଯୋଗୀ ରାଷ୍ଟ୍ର ଭାବେ ‌ଯୋଡ଼ି ହେବାକୁ ସେ ରାଷ୍ଟ୍ରଦୂତମାନଙ୍କୁ କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅତିଥିମାନଙ୍କୁ ସ୍ବାଗତ କରିବା ସହ ଅଭିବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ରାଜ୍ୟ ବୋଲି କହିଛନ୍ତି। ରାଜ୍ୟରେ ଶିଳ୍ପାୟନ ଦ୍ରୁତ ଗତିରେ ଆଗେଇ ଚାଲୁଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ଶିଳ୍ପର ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିପାରିଛି। ବାଣିଜ୍ୟ ଓ ବ୍ୟବସାୟ ପାଇଁ ଓଡ଼ିଶା ପ୍ରସିଦ୍ଧ ବୋଲି ସେ କହିଛନ୍ତି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ମେକ୍ ଇନ୍ ଓଡ଼ିଶାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ।

ମେକ୍ ଇନ୍ ଓଡ଼ିଶା କର୍ଟେନ୍ ରେଜର କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ହସ୍ତତନ୍ତ ଶିଳ୍ପ ପାଇଁ ଓଡ଼ିଶା ବେଶ ପରିଚିତ। ସରକାର ବୟନ ଶିଳ୍ପ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଭଦ୍ରକରେ ଏକ ଟେକ୍ସଟାଇଲ୍ ପାର୍କ ସ୍ଥାପନ କରାଯାଉଛି। ଏହା ବ୍ୟତୀତ ରସାୟନ ଓ ପେଟ୍ରୋକେମିକାଲ୍‌ସ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟାର୍ଟଅପ୍ ଓ ଇଏସ୍‌ଡିଏମ୍ କ୍ଷେତ୍ର ଉପରେ ମଧ୍ୟ ସରକାର ଅଧିକ ଗୁରୁତ୍ବ ଦେଉଥିବା ସେ କହିଛନ୍ତି। ଏହି ଅବସରରେ ପ୍ରତାପ ଉପସ୍ଥିତ ସମସ୍ତଙ୍କୁ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଭାଗ ନେବାକୁ ଆମନ୍ତ୍ରଣ କରିଛନ୍ତି। ସେହିପରି, ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ୨୦୧୬ରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ୨ ଲକ୍ଷ କୋଟି ଟଙ୍କା ଓ ୨୦୧୮ର ଦ୍ବିତୀୟ ସମ୍ମିଳନୀରେ ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଚଳିତ ବର୍ଷର ସମ୍ମିଳନୀର ସଫଳତା ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇଡ୍‌କୋ ଏମଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍ ଅଲାମ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଫିକିର ବରିଷ୍ଠ ଉପାଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Related Posts