
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଚାଷୀଙ୍କୁ ସାହାଯ୍ୟ କରିବା ଦୃଷ୍ଟିରେ କରାଯାଇଥିବା ବେଳେ ଏହାର ଲାଭ ଉଠାଉଛନ୍ତି ବୀମା କମ୍ପାନୀ। ଏହି ଯୋଜନାରେ କିଭଳି ଫସଲ ବୀମା କମ୍ପାନିଗୁଡିକ ପ୍ରଚୁର ଲାଭ ପାଉଛନ୍ତି ଏହାର ତଥ୍ୟ ଏବେ ସାମ୍ନାକୁ ଆସିଛି । ଗତ ୫ ବର୍ଷ ଭିତରେ ଫସଲ ବୀମା କମ୍ପାନିଗୁଡିକ ଏହି ଯୋଜନାରେ ପ୍ରାୟ ୪୦ ହଜାର କୋଟି ଟଙ୍କା ଲାଭ କରିଥିବା ଜଣାପଡିଛି । ୨୦୧୬ ମସିହା ଏପ୍ରିଲ ମାସରୁ ଦେଶରେ ଆରମ୍ଭ ହୋଇଥିବା ଏହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ବୀମା କମ୍ପାନିଗୁଡିକ ପ୍ରଚୁର ପରିମାଣରେ ଲାଭ ଉଠାଉଛନ୍ତି । ଫସଲ ବୀମା କମ୍ପାନିଗୁଡିକ ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧ ଲକ୍ଷ ୨୬ ହଜାର କୋଟି ଟଙ୍କା ପ୍ରିମିୟମ ଆଦାୟ କରିଛନ୍ତି । ତେବେ ଏହି ସମୟସୀମା ମଧ୍ୟରେ ଚାଷୀଙ୍କୁ ବୀମା ଭରଣା କରିଛନ୍ତି ମାତ୍ର ୮୭ ହଜାର ୩୨୦ କୋଟି ଟଙ୍କା। ଏହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କମ୍ପାନିଗୁଡିକ ଏହି ୫ ବର୍ଷ ମଧ୍ୟରେ ପ୍ରାୟ ୪୦ ହଜାର କୋଟି ଟଙ୍କା ଲାଭ କରିଛନ୍ତି।
ଏହି ଯୋଜନାରେ ଖରିଫ ଋତୁରେ ମୋଟ୍ ବୀମାର ୨% ଓ ରବି ଋତୁରେ ମୋଟ୍ ବୀମା ରାଶିର ୧.୫% ପ୍ରିମିୟମ ଚାଷୀ ମାନେ ଦେଇଥାନ୍ତି। ବଳକା ପ୍ରିମିୟମ ଟଙ୍କା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ବୀମା କମ୍ପାନିଙ୍କୁ ଦେଇଥାନ୍ତି। ତେବେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଯେ ପ୍ରିମିୟମ ଟଙ୍କା ଓ ବିମା ରାଶି ପ୍ରଦାନରେ ଥିବା ଅନ୍ତରକୁ ଲାଭ ବୋଲି ଧରାଯିବ ନାହିଁ। କାରଣ ବୀମା କମ୍ପାନିଗୁଡିକ ରି-ଇନ୍ସୁରାନ୍ସ ବା ପୁନଃ ବୀମାକରଣ ଓ ପ୍ରଶାସିନକ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି।
ତେବେ ବୀମା କମ୍ପାନିଙ୍କୁ ପ୍ରଚୁର ପରିମାଣରେ ଲାଭ ହେଉଥିବା କାରଣରୁ ୬ଟି ରାଜ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଦୂରେଇ ରହିଛନ୍ତି।ଏହି ରାଜ୍ୟ ଗୁଡିକ ହେଉଛନ୍ତି ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ଝାଡଖଣ୍ଡ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ । ୨୦୧୬-୧୭ ଆର୍ଥିକ ବର୍ଷରେ ୫୬୭ ଲକ୍ଷ ହେକ୍ଟର ଚାଷଜମି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇଥିବା ବେଳେ ୨୦୨୦-୨୧ ବେଳକୁ ଏହା ହ୍ରାସ ପାଇ ମୋଟ୍ ୪୯୫ ଲକ୍ଷ ହେକ୍ଟର ଚାଷଜମି ଏହି ଯୋଜନାରେ ବୀମାଭୁକ୍ତ ହୋଇଛି।