ସଞ୍ଜୟ ରାଉତଙ୍କ ଗିରଫଦାରୀକୁ ନେଇ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରତିକ୍ରିୟା; “ବିଜେପି ବିରୋଧୀ ମୁକ୍ତ ସଂସଦ କରିବାକୁ ଚାହୁଁଛି”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଗିରଫଦାରୀ ପରେ ଏହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ କଂଗ୍ରେସର ସଂସଦୀୟ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ । ଖଡଗେ କହିଛନ୍ତି, ବିଜେପି ବିରୋଧୀ ମୁକ୍ତ ସଂସଦ କରିବାକୁ ଚାହୁଁଛି । ସଞ୍ଜୟ ରାଉତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ମୂଳକ ବୋଲି ଖଡଗେ କହିଛନ୍ତି ।ସେ ଆହୁରି କହିଛନ୍ତି,” ଆମେ ସଂସଦରେ ବଜେପି ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛୁ । ଆମେ ଦରଦାମ ବୃଦ୍ଧି, ମୁଦ୍ରାସ୍ଫିତି, ବିଜେପି ଶାସନାଧୀନ ଗୁଜୁରାଟରେ ମଦମୃତ୍ୟୁ ଓ ଝାଡଖଣ୍ଡରେ ବିଜେପି ହେମନ୍ତ ସୋରେନଙ୍କ ସରକାର ଭାଙ୍ଗିବା ପାଇଁ ଜାରି ରଖିଥିବା ଉଦ୍ୟମ ସମ୍ପର୍କରେ ପ୍ରଶ୍ନ କରିବାକୁ ପ୍ରସ୍ତୁତ ଅଛୁ ।”

ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ଦଳ ସରକାର ଦରଦାମ ବୃଦ୍ଧି ଓ ଜିଏସଟି ବୃଦ୍ଧି ଉପରେ ଚର୍ଚ୍ଚା କରିବା ପାଇଁ ଅଡି ବସିଥିଲେ । ନାରାବାଜୀ ଓ ହଟ୍ଟଗୋଳ ପାଇଁ ବିଭିନ୍ନ ବିରୋଧୀ ଦଳର କିଛି ସାଂସଦ ସମ୍ପୂର୍ଣ୍ଣ ଅଧିବେଶନରୁ ଓ ଅନ୍ୟ କିଛି ସାମୟିକ ଭାବେ ନିଲମ୍ବିତ ମଧ୍ୟ ହୋଇଛନ୍ତି । ଏହାରି ମଧ୍ୟରେ ଇଡି ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଜାରି ରଖିଥିବା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି । ପଶ୍ଚିମବଙ୍ଗରେ ମମତାଙ୍କ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ମନି ଲଣ୍ଡ୍ରିଂ ମାମଲାରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Related Posts