
(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଏକ ମାମଲାରୁ ହାଇକୋର୍ଟର ଏକ ଜଜଙ୍କୁ ହଟାଇବା ଦାବି ଏବେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭାରି ପଡିଛି। ଜଣେ ବିଚାରପତିଙ୍କୁ ଏକ ନିର୍ଦ୍ଦିଷ୍ଟ ମାମଲାର ଶୁଣାଣିରୁ ହଟାଇବା ପାଇଁ ଦାବି କରିଥିବା କରଣରୁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କୋଲକାତା ହାଇକୋର୍ଟ ୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ସେ ଏକ ନିର୍ଦ୍ଦିଷ୍ଟ ମାମଲାରେ କୋଲକାତା ହାଇକୋର୍ଟର ବିଚାରପତି କୌଶିକ ଚନ୍ଦଙ୍କୁ ହଟାଇବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ଜଷ୍ଟିସ୍ କୌଶିକ ଚନ୍ଦ ବିଜେପି ସହ ଜଡିତ ଥିଲେ। ଟିଏମସି ସୁପ୍ରିମୋଙ୍କ ଆବେଦନକୁ ଜଷ୍ଟିସ କୌଶିକ ଚନ୍ଦ ନିଜେ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଏହି ଘଟଣାର ସମ୍ପୃକ୍ତ ବ୍ୟକ୍ତିମାନେ କହିଛନ୍ତି ଯେ ଜଷ୍ଟିସ କୌଶିକ ଚନ୍ଦ ତାଙ୍କ ବିବେକ ଆଧାରରେ ଏହି ମାମଲାର ଶୁଣାଣି ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ଉକ୍ତ ମାମଲାଟିକୁ ନିଜ ଖଣ୍ଡପୀଠରୁ ଅଲଗା କରିଦେଇଛନ୍ତି। କୋଲକାତା ହାଇକୋର୍ଟରେ ନନ୍ଦିଗ୍ରାମ ବିଧାନସଭା ଆସନରେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ମମତା ବାନାର୍ଜୀ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାର ଶୁଣାଣି କୌଶିକ ଚନ୍ଦଙ୍କ ବେଞ୍ଚ ଦ୍ୱାରା କରାଯାଇଥିଲା। ଏହା ପରେ ମମତା ବାନାର୍ଜୀ ତାଙ୍କୁ ଏହି ମାମଲାର ଶୁଣାଣିରୁ ହଟାଇବାକୁ ଦାବି କରିଥିଲେ। ସେ କହିଛନ୍ତି ଯେ ବିଜେପି ସହ କୌଶିକ ଚନ୍ଦଙ୍କ ସମ୍ପର୍କ ରହିଛି। ମମତା ବାନାର୍ଜୀଙ୍କ ଏହି ଦାବି ଉପରେ କୋର୍ଟ ୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ତେବେ ଉଲ୍ଲେଖନୀୟ କଥା ହେଉଛି ବିବେକ ଦୃଷ୍ଟିରୁ ଜଷ୍ଟିସ ଚନ୍ଦ ନିଜେ ଏହି ମାମଲାରୁ ଶୁଣାଣିରୁ ଓହରି ଯାଇଛନ୍ତି । କୋର୍ଟ ମମତା ବାନାର୍ଜୀଙ୍କ ଉପରେ ଜୋରିମାନା ଲଗାଇ କହିଛନ୍ତି, ‘ମମତା ବାନାର୍ଜୀ ଏଭଳି ଦାବି କରି ନ୍ୟାୟପାଳିକାର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଉପରେ ଲଗାଯାଇଥିବା ଜୋରିମାନାର ପରିମାଣ କରୋନା ଦ୍ୱାରା ପ୍ରଭାବିତ ଓକିଲଙ୍କ ପରିବାରର କଲ୍ୟାଣ ପାଇଁ ଖର୍ଚ୍ଚ ହେବ। ‘