କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ନିଶଙ୍କ, ଗଙ୍ଗୱାର ଓ ଦେବଶ୍ରୀ ଚୌଧୁରୀ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ମୋଦୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି।  ମନ୍ତ୍ରୀମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର। ସେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ କାମ କରୁଥିଲେ। ଆଜି ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୭୨ ବର୍ଷୀୟ ଗଙ୍ଗୱାର ଉତ୍ତର ପ୍ରଦେଶର ବରେଲୀ ନିର୍ବାଚନ ମଣ୍ଡଳୀକୁ ନିର୍ବାଚିତ ହୋଇଛନ୍ତି। ୧୯୮୯ରୁ କ୍ରମାଗତ ଭାବେ ସେ ଏହି ଆସନରୁ ଜିତି ଆସୁଥିଲେ। ତେବେ ୨୦୦୯ରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। କିନ୍ତୁ ସେ ପୁଣି ୨୦୧୪ ଓ ୨୦୧୯ରେ ଏଠାରୁ ଜିତି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଶ୍ରମ ମନ୍ତ୍ରୀ ହେବା ପୂର୍ବରୁ ଟେକ୍ସଟାଇଲ ଓ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରିଥିଲେ। ସେହିପରି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ହଟାଇ ଦିଆଯାଇଛି। ସେହିପରି ବେଙ୍ଗଲ ସାଂସଦ ତଥା ମହିଳା, ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ, ସଦାନନ୍ଦ ଗୌଡା ମଧ୍ୟ ମନ୍ତ୍ରୀ ପଦରୁ ହଟିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟା ୬ ଟାରେ ନୂତନ ମନ୍ତ୍ରୀ ମାନେ ଶପଥ ଗ୍ରହଣ କରିବେ। ମୋଦୀ ସରକାରଙ୍କ କ୍ୟାବିନେଟ ବିସ୍ତାରରେ ୧୯ଟି ନୂଆ ଚେହେରା ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ସୂଚନା ମୁତାବକ ଏଲଜେପି ନେତା ପାଶୁପତି କୁମାର ପରାସ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ପହଞ୍ଚିଛନ୍ତି। ସେ କ୍ୟାବିନେଟରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି।

Related Posts