ଫିଲ୍ମ୍ ଶୋଲେ ଡାଇଲଗ ଜରିଆରେ ସମସ୍ତ ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଆହ୍ଵାନ – ଜୋ ଡର ଗୟା ସୋ ମର ଗୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ‘ଜୋ ଡର ଗୟା ସୋ ମର ଗୟା’। ଗତକାଲି ୭୦ ଦଶକର ବ୍ଲକ୍‌ବଷ୍ଟର ବଲିଉଡ ଚଳଚିତ୍ର ‘ଶୋଲେ’ର ଏହି ସୁପରହିଟ୍ ଡାଇଲଗ ମାରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉଠାଇବାକୁ ଦେଶର ସମସ୍ତ ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ – “ଜୋ ଡରତା ହେ, ୱ ମରତା ହେ । ଜୋ ଲଢତା ହେ ୱ ଜିତତା ହେ ।” ତେଣୁ ସେ ଲଢେଇ କରିବେ । ମମତା କହିଛନ୍ତି, ଆମେ କେନ୍ଦ୍ର ସରକାରଙ୍କ ଧମକକୁ ଡରୁ ନାହୁଁ। ପଶ୍ଚିମବଙ୍ଗ କେବେ ହାରିବା ଶିଖି ନାହିଁ। ତେଣୁ ଆମେ ସବୁବେଳେ ମୁଣ୍ଡ ଟେକି ଚାଲିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସବୁବେଳେ ଏକ ଲକ୍ଷ୍ମଣରେଖା ରହିବା ଉଚିତ୍‌। କେନ୍ଦ୍ର ସରକାର ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାର କେବଳ କୋଭିଡ୍‌ ପରିଚାଳନା ଏବଂ ଅନ୍ଯ ପ୍ରସଙ୍ଗରେ ନିଜ ବିଫଳତା ଲୁଚାଇବାକୁ ଓ ଲୋକଙ୍କ ଦୃଷ୍ଟି ହଟାଇବାକୁ ଏଭଳି କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାତ୍ୟା ୟାସ କ୍ଷୟକ୍ଷତିର ସମୀକ୍ଷା ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ବିଳମ୍ବରେ ପହଞ୍ଚି ଥିଲେ । ଏହା ପରେ ତିକ୍ତତା ସୃଷ୍ଟି ହୋଇଥିଲା। ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି ପାଇଁ କେନ୍ଦ୍ର ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ପଠାଇବାକୁ ମନା କରି ଦେଇଥିଲେ । ଏହା ପରେ ଗତକାଲି ମୁଖ୍ୟ ଶାସନ ସଚିବ ଭାବେ ଆଲାପନ ବନ୍ଦୋପାଧ୍ୟାୟ ଅବସର ନେଇଥିବାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାମର୍ଶଦାତା ଭାବେ ଆଗାମୀ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଏଥିସହ ତାଙ୍କ ବଦଳି ନିର୍ଦ୍ଦେଶକୁ ରାଜନୈତିକ ଆକ୍ରୋଶମୂଳକ ବୋଲି ଅଭିଯୋଗ କରିଛନ୍ତି ମମତା । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଉପସ୍ଥିତ ନଥିବାରୁ ଆଲାପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରି ତିନି ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି। 

Related Posts