କରୋନାର ଦ୍ବିତୀୟ ଲହରରେ ଚାକିରି ହରାଇଲେ ୧ କୋଟି ଭାରତୀୟ, ୯୭ ପ୍ରତିଶତ ପରିବାରଙ୍କ ରୋଜଗାର ହ୍ରାସ ପାଇଛି : CMIE

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଭାରତର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ଚଳିତ ଥର ୧୦ ମିଲିୟନ ଅର୍ଥାତ୍ ଏକ କୋଟିରୁ ଅଧିକ ଭାରତୀୟ ଚାକିରି ହରାଇଥିବା ବେଳେ ମହାମାରୀ ଯୋଗୁଁ ଦେଶରେ ୯୭ ପ୍ରତିଶତ ଲୋକଙ୍କ ରୋଜଗାର ହ୍ରାସ ପାଇଛି। ଏନେଇ ସେଣ୍ଟର ଫର୍‌ ଇଣ୍ଡିଆନ୍‌ ଇକୋନୋମୀ(CMIE) ମୁଖ୍ୟ କାର୍ଯ୍ୟନିର୍ବାହୀ ମହେଶ ବ୍ୟାସଙ୍କ ସୂଚନା ଦେଇଛନ୍ତି। ସୋମବାର ଥିଙ୍କ ଟ୍ୟାଙ୍କ ଦ୍ୱାରା ଆକଳନ କରାଯାଇଥିବା ବେକାରୀ ହାର ମୁତାବକ ଏପ୍ରିଲ ମାସରେ ବେକାରୀ ହାର ୮% ଥିବା ବେଳେ ମେ ମାସ ଶେଷ ବେଳକୁ ଏହା ୧୨% କୁ ବୃଦ୍ଧି ପାଇବ ବୋଲି ମହେଶ ବ୍ୟାସ ପିଟିଆଇକୁ ସୂଚନା ଦେଇଛନ୍ତି। ତେବେ ଏକ କୋଟିରୁ ଅଧିକ ଭାରତୀୟ ଚାକିରି ହରାଇଥିବା ସେ ଅନୁମାନ କରିଛନ୍ତି। ଚାକିରି ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି କୋଭିଡ୍ ର ଦ୍ବିତୀୟ ଲହର ବୋଲି ସେ କହିଛନ୍ତି। ଅର୍ଥନୀତି ଖୋଲିବା ସହିତ ଏହି ସମସ୍ୟାର କିଛି ଅଂଶ ସମାଧାନ ହୋଇପାରିବ କିନ୍ତୁ ସଂପୂର୍ଣ୍ଣ ନୁହେଁ ବୋଲି CMIE ମୁଖ୍ୟ କାର୍ଯ୍ୟନିର୍ବାହୀ ମହେଶ ବ୍ୟାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ଚାକିରି ହରାଇଛନ୍ତି ସେମାନଙ୍କୁ ରୋଜଗାର ପାଇବା କଷ୍ଟକର ହେବ। ତେବେ ଅଣସଙ୍ଗଠିତ କ୍ଷେତ୍ରରେ ଚାକିରୀ ଖୁବ୍ ଶୀଘ୍ର ମିଳିଯିବ କିନ୍ତୁ ସଙ୍ଗଠିତ କ୍ଷେତ୍ର ଏବଂ ଭଲ ଚାକିରୀ ପାଇଁ ଆହୁରି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ୨୦୨୦ ରେ ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ବେକାରୀ ହାର ରେକର୍ଡ ସର୍ବାଧିକ ୨୩.୫ ପ୍ରତିଶତ ଛୁଇଁଛି। ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ଯେ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଏବେ ପିକ୍ ରେ ପହଞ୍ଚି ସାରିଥିବା ହେତୁ ଅନେକ ରାଜ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି। କଟକଣା କୋହଳ ହେବା ସହ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ । ମହେଶ ବ୍ୟାସ
ଆହୁରି ମଧ୍ୟ କହିଛନ୍ତି ଯେ ଅର୍ଥନୀତି ପାଇଁ ୩ ରୁ ୪ପ୍ରତିଶତ ବେକାରି ହାରକୁ ସ୍ୱାଭାବିକ ବୋଲି ଭାବିବା ଉଚିତ ଏବଂ ପରିସ୍ଥିତି ସୁଧାରିବା ପୂର୍ବରୁ ବେକାରୀ ସଂଖ୍ୟାକୁ ଅଧିକ ସମୟ ହ୍ରାସ କରିବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେଣ୍ଟର ଫର୍‌ ଇଣ୍ଡିଆନ୍‌ ଇକୋନୋମୀ ପକ୍ଷରୁ ୧୭ ଲକ୍ଷ ୫୦ ହଜାର ଲୋକଙ୍କ ଘରେ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ କେବଳ ୩ ପ୍ରତିଶତ କହିଛନ୍ତି ଯେ ସେମାନେ ଆୟର ବୃଦ୍ଧି ପାଇଥିବାବେଳେ ୫୫ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନଙ୍କ ଆୟ ହ୍ରାସ ପାଇଛି। ଏବଂ ୯୭ ପ୍ରତିଶତ ପରିବାରର ରୋଜଗାର ହ୍ରାସ ପାଇଛି। ଅତିରିକ୍ତ ୪୨ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନଙ୍କ ଆୟ ପୂର୍ବ ବର୍ଷ ତୁଳନାରେ ସମାନ ରହିଛି। ମେ’ ମାସରେ ସହରାଞ୍ଚଳରେ ବେରୋଜଗାରଙ୍କ ସଂଖ୍ୟା ୧୪.୭୩ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୧୦.୬୩ ପ୍ରତିଶତ ଛୁଇଁଛି।

Related Posts