ମମତା ସରକାରଙ୍କୁ ଝଟକା : ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲାରେ ଏଫଆଇଆର ଦାୟର ସହ ପୀଡିତାଙ୍କୁ ଚିକିତ୍ସା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ବିଧାନସଭା ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲାରେ ମମତା ସରକାରକୁ କୋଲକାତା ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି । ଏହି ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ ସମସ୍ତ ମାମଲାରେ ଏଫଆଇଆର ପଞ୍ଜିକରଣ କରିବାକୁ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ ବ୍ୟତୀତ ହିଂସା ପୀଡିତ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ସହ ରାସନ ସାମଗ୍ରୀ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ଯୋଗାଇ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସା ମାମଲାର ସମସ୍ତ ଦସ୍ତାବିଜ ସୁରକ୍ଷିତ ରହିବା ଦରକାର। ତେବେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ମମତା ସରକାରଙ୍କୁ ଏକ ପ୍ରକାର ଝଟକା ବୋଲି କୁହାଯାଉଛି। କାରଣ ମମତା ବାନାର୍ଜୀ ଏହାକୁ ବିଜେପିର ଏକ ମିଥ୍ୟା ପ୍ରଚାର ବୋଲି କହି ଅଭିଯୋଗକୁ ଖାରଜ କରିଦେଇଥିଲେ। ଏହି ମାମଲାରେ ଏନଏଚଆରସି ଟିମର ତଦନ୍ତ ଅବଧିକୁ ମଧ୍ୟ ହାଇକୋର୍ଟ ବଢାଇ ଦେଇଛନ୍ତି । ଏବେ ଜୁଲାଇ ୧୩ ଯାଏ ଏନଏଚଆରସି ଏହି ମାମଲାର ତଦନ୍ତ କରିବେ। ଜୁଲାଇ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ ଯେ ହାଇକୋର୍ଟ ଗତମାସରେ ଜାତୀୟ ମାନବାଧିକାର କମିଶନଙ୍କୁ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାନବାଧିକାର ଆୟୋଗର ସଦସ୍ୟ ରାଜୀବ ଜୈନଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ନିକଟରେ ଯାଦବପୁର ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ ପଛରେ ଟିଏମସି ରହିଥିବା ଅଭିଯୋଗ ହୋଇଥିଲା।

Related Posts