ଫେକ୍ ଟୁଲକିଟ୍ ମାମଲା : ବିଜେପି ନେତା ରମଣ ସିଂ ଓ ସମ୍ୱିତ ପାତ୍ରଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଛତିଶଗଡ଼ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ‘ଫେକ୍ ଟୁଲକିଟ୍’ ମାମଲାରେ ବରିଷ୍ଠ ବିଜେପି ନେତା ତଥା ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଛତିଶଗଡ ସରକାର । ବିଜେପି ନେତା ସେୟାର କରିଥିବା ଏହି ଜାଲ୍ ଟୁଲିକଟ୍ ଟ୍ୱିଟ୍‌କୁ ନେଇ ଉଭୟ ନେତାଙ୍କ ବିରୋଧରେ ଦାୟର ହୋଇଥିବା ଏଫ୍‌ଆଇଆର ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଛତିଶଗଡ ସରକାର ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ଛତିଶଗଡ ହାଇକୋର୍ଟ ଜୁନ୍ ୧୧ରେ ଦୁଇଟି ରମଣ ସିଂହ ଏବଂ ସମ୍ୱିତ ପାତ୍ରଙ୍କ ବିରୋଧରେ ଦାୟର ହୋଇଥିବା ଏଫ୍ଆଇଆରରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ହାଇକୋର୍ଟ କହିଥିଲେ ଯେ ଏଫଆଇଆର କେବଳ ରାଜନୈତିକ ଦଳ ମଧ୍ୟରେ ହୋଇଥିବା ମତଭେଦ ଏବଂ ରାଜନୈତିକ ଉଦ୍ଦେଶ୍ୟ ପାଇଁ ହୋଇଛି। ତେଣୁ ଏହି ଦୁଇ ବିଜେପି ନେତାଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇଥିଲେ ହାଇକୋର୍ଟ। କିନ୍ତୁ ଛତିଶଗଡ଼ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼ ସରକାରଙ୍କ କହିବା କଥା ହେଉଛି , ହାଇକୋର୍ଟ ଭୁଲରେ ବିଜେପି ନେତା ରମଣ ସିଂ ଓ ସମ୍ୱିତ ପାତ୍ରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ତାଙ୍କ ଆବେଦନରେ ଦର୍ଶାଇ କହିଛନ୍ତି ଯେ ହାଇକୋର୍ଟ ସମ୍ବିଧାନର ଧାରା ୨୨୬କୁ ବ୍ୟବହାର କରିଛନ୍ତି। ଏଭଳି ନିର୍ଦ୍ଦେଶ କିଛି ନିର୍ଦ୍ଧିଷ୍ଟ ମାମଲାରେ ବ୍ୟବହାର କରାଯିବା ଉଚିତ ବୋଲି ରାଜ୍ୟ ସରକାର କହିଛନ୍ତି। ତେଣୁ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିବାକୁ ଛତିଶଗଡ ସରକାର ଆବେଦନରେ ଦର୍ଶାଇଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ ହାଇକୋର୍ଟ ବିଶେଷ ଅଧିକାର ବ୍ୟବହାର କରିବାରେ ତ୍ରୁଟି କରିଛନ୍ତି। କାରଣ ଟୁଲକିଟ ମାମଲାରେ ପ୍ରାଥମିକ ତଦନ୍ତ ବେଳେ ଟୁଲକିଟ୍ ଫେକ୍ ବୋଲି ଜଣାପଡ଼ିଛି।

Related Posts