ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମମତାଙ୍କ ବଢୁଛି ଅଡ଼ୁଆ। ଉତ୍ତେଜନାମୂଳକ ବୟାନ ପାଇଁ ମମତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତେବେ ମମତା ବାନାର୍ଜୀଙ୍କ ବିରୋଧରେ ଉତ୍ତେଜନାମୂଳକ ଓ ଭ୍ରାମକ ବୟାନ ଦେଇଥିବା ଅଭିଯୋଗ ହୋଇଛି। କୋଲକାତାର ରାନୀ ରାସମନୀ ରୋଡ୍ରେ ଆୟୋଜିତ ଏକ ସଭାରେ ମମତା ବାନାର୍ଜୀ ବାଂଲାଦେଶରେ ଉସମାନ ହାଦିଙ୍କ ହତ୍ୟା ସମ୍ପର୍କରେ ନାମ ନନେଇ ଏକ ବିବାଦୀୟ ବକ୍ତବ୍ୟ ଦେଇଥିଲେ। ଏହି ଘଟଣାକୁ ନେଇ ସର୍ବପ୍ରଥମେ ଜଣେ ଆଇନଜୀବୀ ସିଲିଗୁଡ଼ି ସାଇବର କ୍ରାଇମ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଜଣେ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ କୋଲକାତାର ହେୟାର ଷ୍ଟ୍ରିଟ୍ ଥାନାରେ ଏତଲା ଦେଇଛନ୍ତି । ଏହା ବ୍ୟତୀତ, ଚଳିତ ବର୍ଷ ଆରମ୍ଭରେ ନିର୍ବାଚନ ପ୍ରଚାର ସମୟରେ ସେ ଏକ ସମ୍ବେଦନଶୀଳ ବୟାନ ଦେଇଥିଲେ।
ସେ କହିଥିଲେ, ‘ଆପଣମାନେ ସେପର୍ଯ୍ୟନ୍ତ ସୁରକ୍ଷିତ ଅଛନ୍ତି ଯେପର୍ଯ୍ୟନ୍ତ ଆମେ ଏଠାରେ ଅଛୁ। ଯଦି ଆମେ ରହିବୁନି, ତେବେ ମାତ୍ର ଏକ ସେକେଣ୍ଡ ସମୟ ଲାଗିବ।’ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀ ପଦରେ ଥାଇ ମମତାଙ୍କ ଏଭଳି ବୟାନକୁ ତୀବ୍ର ସମାଲୋଚନା କରିଥିଲେ।ମମତାଙ୍କ ବିରୋଧରେ ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ତିନୋଟି ଗୁରୁତର ଧାରା ଲଗାଇଛି । ବିଏନଏସ୍ ଧାରା 196 (1)ଦୁଇଟି ଭିନ୍ନ ଧାର୍ମିକ ସମୁଦାୟ ମଧ୍ୟରେ ଶତ୍ରୁତା ଓ ବିଦ୍ୱେଷ ସୃଷ୍ଟି କରିବା, ଧାରା 351 (2) ଧମକ ଦେବା କିମ୍ବା ଉସୁକାଇବା ଏବଂ ଧାରା 352 ସମାଜରେ ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ପ୍ରରୋଚନା କରିବା ଭଳି ଦଫା ମମତାଙ୍କ ବିରୋଧରେ ରୁଜୁ କରିଛି ପୋଲିସ ।
