କାଙ୍କେର୍‌: ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ ମନୋଜ ସିଂହ ମଣ୍ଡାୱୀଙ୍କର ଦେହାନ୍ତ । ହୃଦ୍‌ଘାତ ଯୋଗୁଁ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଦଳୀୟ ନେତାମାନଙ୍କ ପକ୍ଷରୁ ସୂଚନା ମିଳିଛି ।

ଆଜି ସକାଳେ ହୃଦ୍‌ଘାତ ହେବା ପରେ ୫୮ ବର୍ଷିୟ ମଣ୍ଡାୱୀଙ୍କୁ ଚାରାମା ଗାଁରୁ ଧମତରୀ ସହରକୁ ନିଆଯାଇଥିଲା ବୋଲି ରାଜ୍ୟ କଂଗ୍ରେସ ‘କମ୍ୟୁନିକେସନ୍‌ ଉଇଙ୍ଗ୍‌’ର ମୁଖ୍ୟ ସୁଶୀଳ ଆନନ୍ଦ ଶୁକ୍ଳା କହିଛନ୍ତି।

କାଙ୍କେର୍‌ ଜିଲ୍ଲାର ଭାନୁପ୍ରତାପୁର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଥିବା ମଣ୍ଡାୱୀ ଶନିବାର ରାତିରେ ଚାରାମା ଅଞ୍ଚଳରେ ଥିବା ତାଙ୍କର ପୈତୃକ ଗ୍ରାମ ନାଥିଆ ନୱାଗାଓଁରେ ଥିଲେ।

ଅଶ୍ବସ୍ତି ଲାଗୁଛି ‌ବୋଲି କହିବା ପରେ ତାଙ୍କୁ ଚାମାରା ଡାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ଡାକ୍ତରମାନେ ତାଙ୍କୁ ଦେଖିଥିଲେ ବୋଲି ଶୁକ୍ଳା କହିଛନ୍ତି।

ତିନି ଥର ବିଧାୟକ ହୋଇଥିବା ମଣ୍ଡୱୀ ଥିଲେ ବସ୍ତର ଅଞ୍ଚଳରୁ ଦଳର ପ୍ରମୁଖ ଜନଜାତି ନେତା। ୨୦୦୦ରୁ ୨୦୦୩ ପର୍ଯ୍ୟନ୍ତ ଅଜିତ ଯୋଗୀ ନେତୃତ୍ବାଧୀନ କଂଗ୍ରେସ ସରକାରରେ ସେ ରାଜ୍ୟ ଗୃହ ଓ କାରାଗାର ମନ୍ତ୍ରୀ ଥିଲେ।