ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ବ୍ୟାପକ ଜଳ ଶୋଷଣ ଯୋଗୁଁ ପୃଥିବୀର ଭୌଗୋଳିକ ସନ୍ତୁଳନ ବିଗୁଡୁଛି । ଜଳ ବ୍ୟବହାରରେ ଭାରତ-ଆମେରିକା ଶୀର୍ଷରେ ରହିଛନ୍ତି । ତେବେ ବୈଜ୍ଞାନିକ ଗବେଷଣାରୁ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଏହି ଅଧ୍ୟୟନ ଅନୁଯାୟୀ, ମଣିଷ ଦ୍ୱାରା କରାଯାଉଥିବା ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଏବଂ ପୃଥିବୀର ଘୂର୍ଣ୍ଣନ ଅକ୍ଷ ସ୍ଥାନାନ୍ତର ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଗବେଷକମାନେ ସ୍ପଷ୍ଟ କରିଛନ୍ତି ଯେ, ୧୯୯୩ ରୁ ୨୦୧୦ ମସିହା ମଧ୍ୟରେ ବିଶ୍ୱବ୍ୟାପୀ ପ୍ରାୟ ୩୧.୫ ଇଞ୍ଚ (୮୦୦ ମିଲିମିଟର) ଭୂତଳ ଜଳ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଛି।

ଏହି ବିପୁଳ ପରିମାଣର ଜଳ ଶୋଷଣ ମାମଲାରେ ଭାରତ ଏବଂ ଆମେରିକା ସାରା ବିଶ୍ୱରେ ସବୁଠାରୁ ଆଗରେ ରହିଛନ୍ତି। ବିଜ୍ଞାନୀମାନଙ୍କ ମୁତାବକ, ପୂର୍ବରୁ ମାଟି ତଳେ ସୁରକ୍ଷିତ ଭାବେ ଗଚ୍ଛିତ ଥିବା ଏହି ବିପୁଳ ଜଳରାଶିକୁ ବାହାର କରିବା ପରେ ତାହା ପୁନଃବଣ୍ଟନ ପ୍ରକ୍ରିୟାରେ ସମୁଦ୍ରରେ ଯାଇ ମିଶୁଛି। ଏହା ଦ୍ୱାରା ପୃଥିବୀର ବସ୍ତୁତ୍ୱ ସନ୍ତୁଳନ (ମାସ୍‌ ବାଲାନ୍ସ)ରେ ଏକ ବଡ଼ଧରଣର ପରିବର୍ତ୍ତନ ଆସିଛି। ଭୂ-ଭୌତିକ ମଡେଲ୍‌ ଏବଂ ୧୯୯୦ ତଥା ୨୦୦୦ ଦଶକର ସାଟେଲାଇଟ୍ ତଥ୍ୟକୁ ଆଧାର କରି ବୈଜ୍ଞାନିକମାନେ ଏହି ପରିବର୍ତ୍ତନକୁ ଚିହ୍ନଟ କରିଛନ୍ତି। ପୃଥିବୀର ଏହି ପରିବର୍ତ୍ତନ ବା ଢଳିବା ପ୍ରକ୍ରିୟା ଗ୍ଲେସିୟର ଓ ବରଫ ଚାଦର ତରଳିବା ଦ୍ୱାରା ହେଉଥିବା ପ୍ରଭାବ ସହିତ ସମାନ ବୋଲି ପ୍ରମାଣିତ ହୋଇଛି।